fbpx

ଦୁନିଆକୁ ଅଲବିଦା କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସଇଦ୍ ଅହମଦ

ଇସଲାମାବାଦ୍‌: ପାକିସ୍ତାନ କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ୍ ଅହମଦ(Saeed Ahmed)ଙ୍କ ନିଧନ ହୋଇଛି । ୮୬ ବର୍ଷ ବୟସରେ ଲାହୋରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ । ତାଙ୍କ ପରିବାରରେ ଦୁଇ ପୁଅ, ଗୋଟିଏ ଝିଅ ଏବଂ ଗୋଟିଏ ସାବତ ଭାଇ ୟୁନିସ ଅହମଦ ଅଛନ୍ତି ।

୧୯୫୮ ମସିହାରେ ସଇଦ୍ ଅହମଦ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ । ୧୯୭୨ରୁ ୧୯୭୩ ମଧ୍ୟରେ ମେଲବର୍ଣ୍ଣରେ ପାକିସ୍ତାନ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଡାହାଣହାତୀ ଅଫ୍ ସ୍ପିନିଂ ବୋଲିଂ କରି ୨୨ଟି ୱିକେଟ ନେବାରେ ସଫଳ ହୋଇଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ତାଙ୍କ ଆନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଦମଦାର ବ୍ୟାଟିଂ ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ୟୁନିସ ଅହମଦ ପାକିସ୍ତାନ ପାଇଁ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।  ପାକିସ୍ତାନ କ୍ରିକେଟରେ ଅଲରାଉଣ୍ଡର ଭାବେ ଜଣାଶୁଣା ସଇଦ ୪୧ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥିରୁ ୫ଟି ଶତକ ଏବଂ ୧୬ଟି ଅର୍ଧଶତକ ବଳରେ ମୋଟ ୨୯୯୧ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବିୟୋଗରେ ପାକିସ୍ତାନ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୩୭ ମସିହା ଜଳନ୍ଧରରେ ସଇଦ୍ ଅହମଦ ଜନ୍ମ ଗ୍ରହଣ କରିଥିଲେ । କ୍ରିକେଟରୁ ସନ୍ୟାସ ନେଲା ପରେ ସେ ଲାହୋରରେ ଅନେକ ବର୍ଷ ପର୍ଯ୍ୟନ୍ତ ଏକୁଟିଆ ଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି)ର ଅଧ୍ୟକ୍ଷ ମୋହସିନ୍ ନକୱି ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି, ‘ପିସିବି ପୂର୍ବତନ ଟେଷ୍ଟ ଅଧିନାୟକର ନିଧନରେ ଗଭୀର ଶୋକ ବ୍ୟକ୍ତ କରୁଛି ଏବଂ ସଇଦ୍ ଅହମଦଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ସେ ହୃଦୟର ସହ ପାକିସ୍ତାନର ସେବା କରିଥିଲେ ଏବଂ ପିସିବି ଟିମ୍ ତାଙ୍କର ରେକର୍ଡ଼ ଏବଂ ସେବାକୁ ସମ୍ମାନ ଜଣାଉଛି ।’

Get real time updates directly on you device, subscribe now.