fbpx

Gujarat Titansକୁ ମିଳିଲେ ଶାମୀଙ୍କ ବିକଳ୍ପ ଖେଳାଳି: ମୁମ୍ବାଇରେ ସାମିଲ ହେଲେ ୧୭ ବର୍ଷୀୟ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛନ୍ତି ଗୁଜୁରାଟ ଟାଇଟନ୍ସର ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟାରେ ସର୍ଜରୀ ଯୋଗୁଁ ସେ ଆଇପିଏଲରେ ସାମିଲ ହୋଇପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଗୁଜୁରାଟ ଟାଇଟନ୍ସ ଦଳରେ ନୂଆ ଖେଳାଳିଙ୍କୁ ସ୍ଥାନ ଦେଇଛି । ଶାମୀଙ୍କ ରିପ୍ଲେମେଣ୍ଟେ ଭାବରେ କୋଲକାତା ନାଇଟ ରାଇଡର୍ସର ପୂର୍ବତନ କ୍ରିକେଟର ସନ୍ଦୀପ ୱାରିୟରଙ୍କୁ ଦଳରେ ସାମିଲ କରିଛି ଗୁଜୁରାଟ । ଏହାବ୍ୟତୀତ ହାର୍ଦ୍ଦିକ ସେନା(ମୁମ୍ବାଇ ଇଣ୍ଡିଆନ୍ସ)ରେ ମଧ୍ୟ ଜଣେ ଖେଳାଳି ଏଣ୍ଟ୍ରି କରିଛନ୍ତି ।

ବିଶ୍ୱକପରେ ଆହତ ହୋଇଥିଲେ ଟିମ ଇଣ୍ଡିଆ ତଥା ଗୁଜୁରାଟ ଟାଇଟନ୍ସର ଷ୍ଟାର ବୋଲର ମହମ୍ମଦ ଶାମୀ । ତେଣୁ ବର୍ତ୍ତମାନ ତାଙ୍କ ସ୍ଥାନରେ କୋଲକାତାର ପୂର୍ବତନ କ୍ରିକେଟର ସନ୍ଦୀପ ୱାରିୟର ଏବେ ଗୁଜୁରାଟ ସହ ଯୋଡ଼ି ହୋଇଛନ୍ତି । ୨୦୧୯ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ ସନ୍ଦୀପ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରିଛି । ତେବେ ଏହି ୫ଟି ମ୍ୟାଚରୁ ସେ ମୋଟ ୨ଟି ୱିକେଟ ହାସଲ କରିଛନ୍ତି । ଶାମୀଙ୍କ ଗୋଇଠିରେ ଆଘାତ ଯୋଗୁଁ ତାଙ୍କର ସର୍ଜରୀ କରାଯାଇଛି, ଯାହା ଫଳରେ ସେ ଆଇପିଏଲ ଏବଂ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଏହାପରେ ଶାମୀଙ୍କ ସ୍ଥାନରେ ସନ୍ଦୀପଙ୍କୁ ୫୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ ଗୁଜୁରାଟରେ ସାମିଲ କରାଯାଇଛି ।

ଏହାବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ଜଣେ ଖେଳାଳି ସାମିଲ ହୋଇଛନ୍ତି । ଶ୍ରୀଲଙ୍କା କ୍ରିକେଟର ଦିଲସାନ ମଧୁଶଙ୍କା ଆହତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଜଣେ ୧୭ ବର୍ଷୀୟ ଖେଳାଳିଙ୍କୁ ସାମିଲ କରିଛି ମୁମ୍ବାଇ । ଅଣ୍ଡର-୧୯ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି କ୍ୱେନା ମଫାକା ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଛନ୍ତି ।

Get real time updates directly on you device, subscribe now.