fbpx

ରାଜ୍ୟରେ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ଥଗିତ ହୋଇପାରେ ପଞ୍ଚାୟତ ନିର୍ବାଚନ, ନିର୍ବାଚନ କମିଶନଙ୍କ ବୈଠକ ଦିନ ୧୧ଟାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କରାଇବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଆଜି ଦିନ ୧୧ଟା ସମୟରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଯୋଗଦେବେ ।

ତେବେ ଗତକାଲି ପଞ୍ଚାୟତ ନିର୍ବାଚନ ନେଇ ଘନ ଘନ ବୈଠକ ବସିଥିଲା । ପୂର୍ବରୁ ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ କରାଯାଇଥିଲା । ଏଭଳି ସ୍ଥିତିରେ ସରକାର ଯଦି ନିର୍ବାଚନ ରାଲିକୁ ଅନୁମତି ଦିଅନ୍ତି, ତେବେ ଆଗାମୀ ଦିନରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଲେ ସରକାର ବଦନାମ ହେବା ସହ ଧନଜୀବନ ହାନୀ ହେବ । ତେଣୁ ଏଭଳି ସ୍ଥିତିରେ ନିର୍ବାଚନକୁ ବିନା ପ୍ରଚାରରେ କରାଯିବ କି କିଛି ଦିନ ଘୁଞ୍ଚାଯିବ ସେନେଇ ନିଷ୍ପତ୍ତି ନିଆଯାଇପାରେ । ଗତକାଲି ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଯାଇଥିବାରୁ ଗୋଟିଏ ସପ୍ତାହ ମଧ୍ୟରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ତେବେ ନିର୍ବାଚନ କରାଇବା ନେଇ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ମତ ଅସ୍ପଷ୍ଟ ରହିଛି । ଗତକାଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିର୍ବାଚନକୁ ସ୍ଥଗିତ ରଖିବା ନେଇ ମତ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟରେ ୪୨ ପ୍ରତିଶତ କୋଭିଡ୍ ସଂକ୍ରମଣ ଅଚାନକ ବୃଦ୍ଧି ପାଇଥିଲା । ଗତ ସପ୍ତାହର କୋଭିଡ୍ ଗ୍ରାଫ୍ ସଂକ୍ରମଣକୁ ହଠାତ୍ ଉଦ୍ଧ୍ୱର୍ମୁଖୀ କରାଇଦେଇଛି । ତେଣୁ ଆଜିର ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରେ ।

Get real time updates directly on you device, subscribe now.