fbpx

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୧୬ରେ ଭୋଟ ଗ୍ରହଣ: ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):  ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଛି । ଆସନ୍ତା ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏହି ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ସଭ୍ୟ, ୧୬୬୯ ସରପଞ୍ଚ, ୨୨,୩୭୯ ୱାର୍ଡ ସଭ୍ୟଙ୍କ ନିମନ୍ତେ ଭୋଟଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ସୋମବାର ୧୧ଟି ଜିଲ୍ଲା ପାଇଁ ପୋଲିଂ ପାର୍ଟି ବୁଥ୍‌ ଅଭିମୁଖେ ଯାତ୍ରା କରିଥିବାବେଳେ ଅବଶିଷ୍ଟ ୧୯ ଜିଲ୍ଲାକୁ ୧୫ ତାରିଖରେ ପୋଲିଂ ପାର୍ଟି ଯିବାର ସ୍ଥିର କରାଯାଇଛି । ସୋମବାର ବାଲେଶ୍ୱର, ଭଦ୍ରଖ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ବୁଥ୍‌କୁ ପୋଲିଂ ପାର୍ଟି ଭୋଟ ବାକ୍ସ ଓ ବାଲାଟ୍‌ ପେପର ଧରି ଯାତ୍ରା କରିଛନ୍ତି । ଏହି ନିର୍ବାଚନ ଦିନେ ଛାଡ଼ି ଦିନେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହାପରେ ୨୬, ୨୭ ଓ ୨୮ ତିନି ଦିନ ଧରି ବ୍ଲକ ହେଡ୍‌କ୍ୱାର୍ଟର ଗୁଡ଼ିକରେ ଗଣତି ପାଇଁ ନିଷ୍ପତ୍ତି ହୋଇଛି । ଶାନ୍ତିଶୃଙ୍ଖଳାର ସହ ଯେପରି ଏହି ଭୋଟ ଗ୍ରହଣ ପ୍ରକ୍ରିୟା ସମାପ୍ତ ହୁଏ ସେନେଇ ନିର୍ବାଚନ କମିଶନଙ୍କପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଉପରେ ଫୋକସ କରାଯିବା ସହ ସେସବୁ ବୁଥ୍‌ଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହି ରି ମାଓ ପ୍ରଭାବିତ ଇଲାକା ପ୍ରତି ମଧ୍ୟ କଡ଼ା ନଜର ରଖାଯାଇଛି । ଅଧିକ ପରିମାଣର ଫୋର୍ସ ମୁତୟନ କରାଯିବା ସହ ଯାନବାହନ ଯାଞ୍ଚ କାର୍ଯ୍ୟକୁ କଡ଼ାକଡି କରାଯାଇଛି ।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ସମାପ୍ତ ହୋଇଛି । ପ୍ରଚାର ପାଇଁ ନିୟୋଜିତ ଥିବା ବାହାର ଅଞ୍ଚଳର ନେତା ଓ କର୍ମୀମାନେ ସେସବୁ ସ୍ଥାନ ଛାଡ଼ିଛନ୍ତି । ପ୍ରଚାର ବନ୍ଦ ହେବା ପରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରମାନଙ୍କୁ ଭେଟିବା ସହ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ସୋମବାର ଶେଷ ଦିନରେ ବି ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତାମାନେ ପ୍ରଚାର କାର୍ଯ୍ୟରେ ନିଜକୁ ସାମିଲ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହାୟତାରେ ପ୍ରଚାର ଜାରି ରଖିଥିଲେ ।

Get real time updates directly on you device, subscribe now.