fbpx

ପଞ୍ଚାୟତ ନିର୍ବାଚନ: କାଲିଠାରୁ ଆରମ୍ଭ ହେବ ନାମାଙ୍କନ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ଏନେଇ ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ହେବ । କାଲିଠାରୁ ଅର୍ଥାତ ୧୭ ରୁ ୨୧ ତାରିଖ ଯାଏ ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ । ଦଳୀୟ ଚିହ୍ନରେ ନିର୍ବାଚନ ହେବାକୁ ଥିବା ୮୫୩ ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ପ୍ରାର୍ଥୀ ଚୟନ ପାଇଁ ସବୁ ଦଳରେ ଚାଲିଛି ଜୋରଦାର କସରତ । ୨୧ ତାରିଖରେ ନାମାଙ୍କନ ପ୍ରକ୍ରିୟା ସରିବା ପରେ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ତେବେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରହିଥିବା ବେଳେ ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପରେ ଫେବ୍ରୁଆରୀ ୨୦, ୨୨ ଓ ୨୪ ରେ ଭୋଟ ଗ୍ରହଣ କରାଯିବ । ଫେବ୍ରୁଆରୀ ୨୫,୨୭ ଓ ୨୮ରେ ଭୋଟ ଗଣତି ହେବ । ଆଜିଠାରୁ ରାଜ୍ୟରେ ଆଚରଣ ବିଧି ଲାଗୁ ହେବ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେବ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ । ଏହ ସହିତ କୋଭିଡ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଛି । ପ୍ରଚାର ସଭା, ପଦଯାତ୍ରା, ବାଇକ ଓ ସାଇକେଲ ଶୋଭାଯାତ୍ରା ମନା ହୋଇଛି । ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରିପାରିବେ । ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟାଫର୍ମରେ ପଚାର କରିବେ ପ୍ରାର୍ଥୀ ।

Get real time updates directly on you device, subscribe now.