fbpx

ଆସନ୍ତା ଫେବୃଆରୀ ୧୨ରୁ ପଞ୍ଚାୟତ ଭୋଟ୍! ସଂରକ୍ଷଣକୁ ନେଇ ଆଶଙ୍କାରେ ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୨ ତାରିଖରୁ ପଞ୍ଚାୟତ ଭୋଟ ଆରମ୍ଭ ହେବ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହ ଏନେଇ ସରକାରୀ ଭାବେ ଏକ ତାଲିକା ପ୍ରସ୍ତୁତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ମାର୍ଚ୍ଚ ୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବା ସହ ଲୋକ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିବେ । ତେବେ କେଉଁ କେଉଁ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ସେନେଇ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବାରୁ ଏଥିପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ଲିଷ୍ଟ ଜାରି ହେବ । ଏନେଇ ତ୍ୱରିତ ପ୍ରସ୍ତୁତି କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୨ ମାର୍ଚ୍ଚ ୫ ତାରିଖରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ପୂରିବ । ତେଣୁ ନିୟମ ଅନୁଯାୟୀ ସରକାର ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚିଠା ତାଲିକା ପ୍ରକାଶ ପାଇବା ପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ତେବେ ସଂରକ୍ଷଣକୁ ନେଇ ବର୍ତ୍ତମାନ ଆଶାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ଆଉ ୫ ମାସ ସମୟ ବାକିଥିଲେ ହେଁ ସରକାରୀ ଅପେକ୍ଷା ବ୍ୟକ୍ତିଗତ ଭାବେ ସମସ୍ତେ ତତ୍ପରତା ପ୍ରକାଶ କଲେଣି । ତେବେ ପଛୁଆବର୍ଗଙ୍କ ୨୭% ସରକ୍ଷଣକୁ ନେଇ ସବୁଠାରୁ ବେଶି ଆଶଙ୍କା ରହିଛି । କାରଣ ଏହା କେମିତି ଓ କେଉଁ ଢାଞ୍ଚାରେ ଲାଗୁହେବ, ତାହା ଆଜି ବି ସମସ୍ତଙ୍କ ପାଇଁ ଅବୁଝା ହୋଇ ରହିଛି । ଗତ ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ନିର୍ବାଚନ ସଂରକ୍ଷଣ ତାଲିକାକୁ ଆଖି ଆଗରେ ରଖି ଆସନ୍ତା ପଞ୍ଚାୟତ ଭୋଟ ପାଇଁ ରୋଟେସନ ପଦ୍ଧତିରେ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.