ଭୁବନେଶ୍ବର: ଆବାସ ନେଇ ବଡ ଘୋଷଣା । ଆବାସ ପାଇଁ ସର୍ଭେ କରିବେ ରାଜ୍ୟ ସରକାର । ବିଧାନସଭାରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଏନେଇ ସୂଚନା ଦେଇଛନ୍ତି । ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ନୂଆ ସର୍ଭେ କରାଯିବ । ଚଳିତ ବର୍ଷ 1 ଲକ୍ଷ 11 ହଜାର ଘର ପାଇଁ କାର୍ଯ୍ୟାଦେଶ ହୋଇଛି । ତେବେ ବାଦ୍ ପଡିଥିବା 50963 ହିତାଧିକାରୀଙ୍କ ଦରଖାସ୍ତ ବିଚାର କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିବା ନେଇ ସରକାର ବଡ ପଦକ୍ଷେପ ନେଇଛନ୍ତି । କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କର ପ୍ରଶ୍ନରେ ଗୃହରେ ଏଭଳି ଉତ୍ତର ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।
ଧନିକ ଶ୍ରେଣୀ, ଛାତ ଘରେ ରହୁଥିବା ବ୍ୟକ୍ତି ଏବଂ ଚାକିରିଆଙ୍କୁ ପ୍ରଧାନମନ୍ତ୍ରୀ ଆବାବସ ଘର ମିଳିବ ନାହିଁ ବୋଲିସରକାର ଗ୍ୟାରେଣ୍ଟି ଦେଇପାରିବେ କି ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟଙ୍କୁ ବାଦ ଦିଆଯିବ । ଏନେଇ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ 5 ବର୍ଷରେ 12 ଲକ୍ଷ 621 ଆବାସ ଧାର୍ଯ୍ୟ କରାଯାଇଛି । ସେଥିମଧ୍ୟରୁ 11 ଲକ୍ଷ 76 ହଜାର 53 ଗୃହ ମଞ୍ଜୁର ହୋଇଥିବା ବେଳେ 7 ଲକ୍ଷ 43 ହଜାର 321 ଗୃହ ନିର୍ମାଣଧୀନ ରହିଛି । ତେବେ ପୂର୍ବ ସରକାରର କଥା କହି ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନଦେବାରୁ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନେଇ ନପାରିବା କାରଣରୁ ଏହି ଘର ଫେରି ଯାଇଥିବା ମନ୍ତ୍ରୀ କହିଛନ୍ତି ।