ଜାଲ କାଗଜ ଦେଇ ମହିଳାଙ୍କ ସହ ବିଜେଡି ବିଶ୍ୱାସଘାତକତା କରିଥିବା ଅଭିଯୋଗ କଲା ବିଜେପି

ଭୁବନେଶ୍ୱର- ବିଧାନସଭା ଚାଲିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର, ଏମବିକେ ପରି ୬ଟି ସଂଗଠନର ମହିଳା ସେମାନଙ୍କ ୯ ମାସର ବକେୟା ଦରମା ଦାବିରେ ମେଳି କରିଛନ୍ତି । ମହିଳାଙ୍କ ମେଳିକୁ ନେଇ ବିଧାନସଭା ହୁଲୁସ୍ତୁଲ ହେଉଛି । ଏହି ପ୍ରସଙ୍ଗରେ ଆଜି ବିରୋଧୀ ଦଳ ନେତା ମଧ୍ୟ ମୁହଁ ଖୋଲିଛନ୍ତି । ବିଜେପି ମହିଳାଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି । ହେଲେ ଏହାକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ ।

ସରୋଜ ପାଢୀ ମହିଳାଙ୍କ ସହ ଷଡଯନ୍ତ୍ର ପ୍ରସଙ୍ଗରେ କହିଛନ୍ତି ଶାଣିତ ଆକ୍ରମଣ କରିଛନ୍ତି ବିଜେଡି ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ । ପାଣ୍ଡିଆନ ହିଁ ମହିଳାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି, ସେମାନଙ୍କୁ ଠକିଛନ୍ତି । ମହିଳାମାନଙ୍କୁ ପାଣ୍ଡିଆନ ଜାଲି କାଗଜ ଦେଇ ଭଣ୍ଡେଇଛନ୍ତି । ମହିଳା ଗ୍ରୁପ ବିଜେଡି ସରକାର ଅମଳରେ ହୋଇଥିଲା । ତାହା ବିଜେପି କରିନଥିଲା । ମହିଳାଙ୍କୁ ଜାଲ ଚିଠି ବିଜେଡି ସରକାରକୁ ଲିଜରେ ନେଇଥିବା ପାଣ୍ଡିଆନ ଦେଇଥିଲେ । ସେମାନଙ୍କୁ ସରକାରୀ ପ୍ରସ୍ତାବରେ ସାମିଲ କରାଯାଇନାହିଁ । ମହିଳାଙ୍କ ନାଁରେ କୋଟି କୋଟି ଟଙ୍କାକୁ ଭୋଜି ଭାତ କରିବା ସହ ମାରିପିଟି ଖାଇଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ।

ଯଦି ମହିଳା ଗୋଷ୍ଠୀର ନାଁ ଏନରୋଲ ହୋଇଥାନ୍ତା ତେବେ ବିଜେପି ସରକାର ସେମାନଙ୍କୁ ଦରମା ଦେବାରେ ଅସୁବିଧା ନ ଥିଲା ବୋଲି କହିଛନ୍ତି ବିଜେପି ବିଧାୟକ । ଏଥିସହ ମହିଳାମାନେ ବିଜେପିକୁ ବିରୋଧରେ ମେଳି ହେବା ବଦଳରେ ନବୀନ ନିବାସକୁ ଯାଇ ସେଠାରେ ନବୀନଙ୍କୁ ପଚାରନ୍ତୁ ତଥା ପାଣ୍ଡିଆନଙ୍କୁ ଖୋଜି ବାହାର କରି ସେମାନଙ୍କ ସହ ହୋଇଥିବା ଷଡଯନ୍ତ୍ର ଉପରେ ପ୍ରଶ୍ନ କରନ୍ତୁ ବୋଲି ସରୋଜ ପାଢୀ କହିଛନ୍ତି । ସେପଟେ ଆଜି ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାକୁ ଆଟାକିଂ ମୋଡରେ ଦେଖିବାକୁ ମିଳିଛି । ସେ କହିଛନ୍ତି, ହଜାର ହଜାର ମହିଳା ରାଜରାସ୍ତାରେ ମେଳି ହୋଇଛନ୍ତି ସରକାରର ଷଡଯନ୍ତ୍ର ପାଇଁ । ବିଜେପି ସରକାର ମହିଳାଙ୍କ ସହ ଷଡଯନ୍ତ୍ର କରିଛି । କାହିଁକି ମହିଳା ଗୋଷ୍ଠୀର ରିନ୍ୟୁ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଆନ୍ଦୋଳନ ସ୍ଥଳରେ ଗତକାଲି ବିଜେଡି ନେତା, ନେତ୍ରୀ ସାମିଲ ହୋଇଥିବା ବେଳେ ଆଜି କଂଗ୍ରେସ ମହିଳାଙ୍କୁ ସମର୍ଥନ ଜଣାଇଛି ।

ତେବେ ଏହାକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶିଖାଇ, ମତାଇ ରାଜରାସ୍ତାରେ ମେଳି କରାଉଛି ବିରୋଧୀ । ତେଣୁ ସେ ମହିଳାମାନଙ୍କୁ ଅନ୍ୟର ପ୍ରରୋଚନାରେ ପଡି ଘର ପରିବାର ଛାଡି ରାସ୍ତା ଉପରେ ନ ବସିବାକୁ ଅପିଲ କରିଛନ୍ତି । ଏଥିସହ ମହିଳାଙ୍କ ପାଇଁ ଯାହା ହିତକର ହେବ ବିଜେପି ସରକାର ତାହା କରିବ । ଏଠାରେ କହି ରଖୁଛୁ କି, ନିର୍ବାଚନର ଠିକ ଆଗରୁ ବିଜେଡି ସରକାରର ଶେଷ ବିଧାନସଭା କାଳରେ ଲକ୍ଷାଧିକ ମହିଳାଙ୍କ ମେଳି ହୋଇଥିଲା ରାଜଧାନୀରେ । ଦରମା ବୃଦ୍ଧି ସହ ଏକାଧିକ ଦାବି ନେଇ ମହିଳା ଆକ୍ରାମକ ରୂପ ଧାରଣ କରିବା କାଳରେ ପାଣ୍ଡିଆନ ମହିଳାମାନଙ୍କୁ ଭେଟି ସେମାନଙ୍କ ଦାବି ପୂରଣ ପାଇଁ ଲିଖିତ ତଥା ମୌଖିକ ପ୍ରତିଶ୍ରୁତି ଦେଇଥିଲେ ।  କିନ୍ତୁ ବିଜେପି ସରକାର ଆସିବା ପରେ ଜଣାପଡୁଛି, ଏହି ସବୁ ମହିଳାଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଇନାହିଁ  ।  ତେଣୁ ସରକାର ନିକଟରେ ସେମାନଙ୍କ ତଥ୍ୟ ନାହିଁ।