fbpx

Covid-19 ନୂଆ ଭାରିଆଣ୍ଟକୁ ନେଇ ଆତଙ୍କ! ୨୭ଟି ଦେଶରେ ବ୍ୟାପିଲାଣି … ପୁଣି ହେବ କି ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିଲା । ଲକ୍ଷ ଲକ୍ଷ ଲୋକଙ୍କ ନିଜ ଶିକାର କରି ପୃଥିବୀରେ ଆତଙ୍କ ସୃଷ୍ଟି କରିଥିଲା କରୋନା ସଂକ୍ରମଣ । ତେବେ ୨ ବର୍ଷର ବ୍ୟବଧାନ ପରେ ଏବେ ପୁଣିଥରେ ଫେରୁଛି କରୋନା ଭାଇରସ୍ । ମହାମାରୀର ଆଉ ଏକ ନୂଆ ଭାରିଆଣ୍ଟ ଏବେ ନିଜ କାୟା ବିସ୍ତାର କରିବା ଆରମ୍ଭ କଲାଣି । କରୋନାର ଏହି ନୂଆ ଭାରିଆଣ୍ଟ XEC (MV.1) ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଗତ ଜୁନ୍ ମାସରେ ଜର୍ମାନୀର ବର୍ଲିନରେ କରୋନା ଭାଇରସର ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିଲା ।

ରିପୋର୍ଟ ଅନୁସାରେ, କରୋନାର ନୂଆ ଭାରିଆଣ୍ଟ XEC (MV.1) ବିଭିନ୍ନ ଦେଶରେ ଆତଙ୍କ ସୃଷ୍ଟି କରିଛି । ସେପ୍ଟେମ୍ବର ୫ ତାରିଖରେ ଦିଆଯାଇଥିବା ରେକର୍ଡ ଅନୁସାରେ, ୧୫ଟି ଦେଶ ସହ ସମେତ ଆମେରିକାର ୧୨ଟି ରାଜ୍ୟରେ ଏହି ଭାରିଆଣ୍ଟ ସଂକ୍ରମଣ କରିଛି । ଏହିସବୁ ସ୍ଥାନରୁ ମୋଟ ୯୫ଟି ମାମଲା ଚିହ୍ନଟ କରାଯାଇଛି । ଏହାବ୍ୟତୀତ ଅଷ୍ଟ୍ରେଲିଆର ଡାଟା ଇଣ୍ଟିଗ୍ରେସନ ସ୍ପେଶାଲିଷ୍ଟ ମାଇକ ହନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ୟୁରୋପ, ଉତ୍ତର ଆମେରିକା ଏବଂ ଏସିଆର ପ୍ରାୟ ୨୭ଟି ଦେଶରେ ଏହି ନୂଆ ଭାରିଆଣ୍ଟରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ଭାରିଆଣ୍ଟ ଆଗାମୀ ଦିନରେ ଆହୁରି ବିସ୍ତାର ହୋଇପାରେ ଏବଂ ଅନ୍ୟ ଦେଶଗୁଡ଼ିକ ପାଇଁ ମଧ୍ୟ ବିପଦ ସାଜିପାରେ ବୋଲି ଆଶଙ୍କା ଜାହିର କରିଛନ୍ତି ମାଇକ ହନୀ ।

XEC (MV.1) ବିଷୟରେ ସ୍କ୍ରିପ୍ସ ରିସର୍ଚ୍ଚ ଟ୍ରାନ୍ସଲେସନାଲ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଏରିକ ଟପୋଲ କହିଛନ୍ତି ଯେ, ଏହା କେବଳ ଆରମ୍ଭ। ଏରିକ ବିଶ୍ୱାସ କରନ୍ତି ଯେ ଏହି ପ୍ରକାର ଆସନ୍ତା ସପ୍ତାହ କିମ୍ବା ମାସ ମଧ୍ୟରେ ଅଧିକ ଦ୍ରୁତ ଗତିରେ ବିସ୍ତାର ହୋଇପାରେ, ଯାହାପରେ କରୋନା ଜୀବାଣୁର ଅନ୍ୟ ଏକ ଲହର ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, ପୂର୍ବ ଅପେକ୍ଷା ବର୍ତ୍ତମାନ କମ୍ ପରୀକ୍ଷା କରାଯାଉଛି, ଯେଉଁ କାରଣରୁ ଏହି ଜୀବାଣୁ କେତେ ବିସ୍ତାର ହୋଇଛି ତାହା ଜାଣିବା ବର୍ତ୍ତମାନ କଷ୍ଟସାଧ୍ୟ।

Get real time updates directly on you device, subscribe now.