ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପଦକ ବିଜେତା ଭାରତୀୟ ଅଶ୍ୱଚାଳକ ଅନୁଷ ଅଗ୍ରୱାଲା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମଙ୍ଗଳବାର ଇକ୍ୱେଷ୍ଟିଆନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ(EFI) ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସର ଡ୍ରେସେଜ୍ ଇଭେଣ୍ଟରେ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଅନୁଷ ଅଗ୍ରୱାଲାଙ୍କୁ ଚୟନ କରିଛି । ଅନୁଷଙ୍କ କ୍ରମାଗତ ଭଲ ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ପରେ EFI ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ହାଙ୍ଗଝୋଉ ଏସୀୟ କ୍ରୀଡ଼ା ୨୦୨୨ରେ ଡ୍ରେସେଜ୍ ଇଭେଣ୍ଟ(ଦଳଗତ)ରେ ସ୍ୱର୍ଣ୍ଣ ଏବଂ ବ୍ୟକ୍ତିଗତ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ଏହି ଇଭେଣ୍ଟରେ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଦୁଇ ଭାରତୀୟ ଅନୁଷ ଅଗ୍ରୱାଲା ଓ ଶ୍ରୁତି ବୋରାଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଅନୁଷ ଭଲ ଆଭରେଜ୍ ହାସଲ କରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୁତିଙ୍କୁ ପରାସ୍ତ କରିଥିଲେ । ଗତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପଦ୍ଧତି ଆରମ୍ଭ ହେବା ପରଠାରୁ ଅନୁଷ ୪ ଥର ଯୋଗ୍ୟତା ମାନଦଣ୍ଡ ପାର କରିଛନ୍ତି । ଅପରପକ୍ଷରେ ଚଳିତ ବର୍ଷ ଶ୍ରୁତି ବୋରା ମାତ୍ର ୨ ଥର ଯୋଗ୍ୟତା ମାନଦଣ୍ଡ ପାର କରିଛନ୍ତି । ମୋଟ୍ ମୂଲ୍ୟାଙ୍କନ ପରେ ଅନୁଷଙ୍କୁ ୬୭.୬୯୫ ପଏଣ୍ଟ ମିଳିଥିବା ବେଳେ ଶ୍ରୁତିଙ୍କୁ ୬୭.୧୬୩ ପଏଣ୍ଟ ହାସଲ କରିଛନ୍ତି ।