fbpx

ଦିନକ ପରେ ପ୍ୟାରିସ ଅଲମ୍ପିକ୍ସ: ଅଲମ୍ପିକ୍ସରେ କେତେ ସଫଳ ହେବ ‘ଭାରତୀୟ ଖେଳର ନ୍ୟୁକ୍ଲିୟସ’….

ଓଡିଶା ଭାସ୍କର: ଭାରତୀୟ ଖେଳର ସ୍ୱାସ୍ଥ୍ୟ ଅଲମ୍ପିକ୍ସରେ ବନ୍ଧୁକଚାଳନାର ପ୍ରଦର୍ଶନ ଉପରେ ନିର୍ଭର କରିବ । ବିଡମ୍ବନାର ବିଷୟ ଏହା ଯେ, ଗତ ରିଓ ଓ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ବନ୍ଧୁକଚାଳନା ଦଳ କୌଣସି ପଦକ ଜିତି ପାରି ନାହାନ୍ତି । ଏହି ବନ୍ଧୁକଚାଳନାକୁ ହିଁ ଭାରତୀୟ ଖେଳର ନ୍ୟୁକ୍ଲିୟସ (nucleus of indian sports) ର ଆଖ୍ୟା ଦିଆଯାଏ । ଏଥର ବି ଭାରତକୁ ବନ୍ଧୁକଚାଳନାରେ କଡା ଟକ୍କର ଦେବେ ଚୀନ ସମେତ ଅନ୍ୟ ଦେଶର ବନ୍ଧୁକଧାରୀ । ୨୧ ଜଣ ବନ୍ଧୁକଚାଳନା ଖେଳାଳୀ ୨୭ ଟି ପଦକ ପାଇଁ ନିଜ ନିଜ ଭିତରେ ଲଢେଇ କରିବେ । ତେବେ ଏଥର ଭାରତକୁ ଏହି ବିଭାଗରେ ସ୍ୱର୍ଣ୍ଣ ମିଳିବାର ସମ୍ଭାବନା ମଧ୍ୟ ବେଶ୍ ଅଧିକ । ଏହା ଯଦି ହୁଏ, ତେବେ ୨୦୦୮ ମସିହା ପରେ ଅଭିନବ ବିନ୍ଦ୍ରାଙ୍କ ମହାରାଜତ୍ୱକୁ କେହି ଜଣେ ଛଡେଇ ନେଇପାରିବ । ନହେଲେ ସେହି ସିଂହାସନ ତାଙ୍କ ନାମରେ ହିଁ ରହିବ ।

ବିନ୍ଦ୍ରା ଓ ରଜ୍ୟବର୍ଦ୍ଧନ ସିଂ ରାଠୋର ୨୦୦୪ ମସିହାରେ ଏଥେନ୍ସ ଅଲମ୍ପିକ୍ସରେ ଡବଲ ଟ୍ରାପରେ ରୌପ୍ୟ କରାୟତ୍ତ କରିଥିଲେ । ସେବେଠୁ ଭାରତୀୟଙ୍କ ଏହି ଖେଳରେ ଆରମ୍ଭ ହୋଇଥିଲା ଦବଦବା । ପରେ ୨୦୧୨ ମସିହା ଲଣ୍ଡନ ଅଲମ୍ପିକ୍ସରେ ବିଜୟ କୁମାର ଓ ଗଗନ ନାରଙ୍ଗ ଯଥାକ୍ରମେ ର‌୍ୟାପିଡ ଫାୟର ପିଷ୍ଟଲରେ ରୌପ୍ୟ ଓ ଏୟାର ରାଇଫଲରେ କାଂସ୍ୟ ଜିତିଥିଲେ ।

ଚଳିତ ଅଲମ୍ପିକ୍ସରେ ମଧ୍ୟ ଏୟାରରାଇଫଲ ବିଭାଗରେ ବନ୍ଧୁକଚାଳକ ସନ୍ଦୀପ ସିଂ, ଅର୍ଜୁନ ବାବୁତା, ଏଲାବେନିଆଲ ୱାଲାରିୱାନ ଓ ରମିତା ଜିନ୍ଦଲ ଚମକିବାର ଆଶା କରାଯାଉଛି । ଯଦି ସେମାନଙ୍କ ବନ୍ଧୁକକର ଗୁଳି ସଠିକ ସମୟରେ ସଠିକ ଲକ୍ଷ୍ୟ ଭେଦେ, ତେବେ ବନ୍ଧୁକଚାଳନାରେ ଭାରତକୁ କେହି ଅଟକାଇ ପାରିବେ ନାହିଁ । ବନ୍ଧୁକରୁ ବାହାରୁଥିବା ଗୁଳି ଭଳି ଭାରତୀୟ ଖେଳାଳିଙ୍କ ମନୋବଳ ମଧ୍ୟ ଏଥର ଶୀର୍ଷରେ ରହିଛି । ଏହି ଖେଳ ହିଁ ଚଳିତ ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଭିନ୍ନସ୍ତରକୁ ନେଇ ଯିବ ।

Get real time updates directly on you device, subscribe now.