fbpx

ସଂସଦ ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ରାଜନାଥ ସିଂହ କଲେ ବିରୋଧୀଙ୍କୁ ଅପିଲ

ଓଡିଶା ଭାସ୍କର: ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି, କୌଣସି ସାଂସଦ ସଂସଦରେ କହିବା ସମୟରେ ଅନ୍ୟ ସାଂସଦ ସେଥିରେ ହସ୍ତକ୍ଷେପ କିମ୍ବା ବାଧକ ସାଜିବାରୁ ଦୂରରେ ରୁହନ୍ତୁ । ସର୍ବଦଳୀୟ ବୈଠକରେ କିରଣ ରିଜୁଜୁ ଗଣମାଧ୍ୟମକୁ ଏହା ଜଣାଇଛନ୍ତି । ବିଶେଷ ଅଧିବେଶନ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଭାଷଣ ଦେଉଥିଲେ ସେଥିରେ ବାଧା ଉପୁଜିଥିଲା । ରାଜନାଥ ସିଂ ଏହାକୁ ନେଇ କହିଛନ୍ତି ଯେ ସଂସଦୀୟ ଲୋକତନ୍ତ୍ର ପାଇଁ ଏହା ଠିକ ନୁହଁ । ଯେତେବେଳେ ପ୍ରଧାନମନ୍ତ୍ରୀ କହନ୍ତି, ତାହା ଦେଶ ଓ ସଂସଦର ଲୋକଙ୍କୁ ଶୁଣିବାର ଆବଶ୍ୟକତା ରହିଛି ବୋଲି ସେ ଜଣାଇଛନ୍ତି ।

ସଂସଦକୁ ସୁଚାରୁରୂପେ ପରିଚାଳନା କରିବା ଉଭୟ ସରକାର ଓ ବିପକ୍ଷଙ୍କ ଦାୟିତ୍ୱ ଅଟେ । ସେଥିପାଇଁ ସେ ସମସ୍ତ ବିପକ୍ଷ ସାଂସଦଙ୍କ ମତ ମଧ୍ୟ ନେଇଛନ୍ତି ବୋଲି ରିଜିଜୁ ଜଣାଇଛନ୍ତି । ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ଦଳରୁ ଜୟରାମ ରମେଶ ଓ କେ. ସୁରେଶ, ଏଆଇଏମଆଇଏମରୁ ଅସଦୁଦ୍ଦୀନ ଔବୈସୀ, ଅଭୟ କୁଶବାହ, ଜେଡିୟୁର ସଞ୍ଜୟ ଝା ତଥା ଆପର ସଞ୍ଜୟ ସିଂଙ୍କ ଭଳି ଅନେକ ନେତା ଉପସ୍ଥିତ ଥିଲେ । ଜୟରାମ ରମେଶ ବୈଠକରେ କହିଥିଲେ ଯେ ଜେଡିୟୁ ଓ ୱାଇଏସଆରସିପି ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଶ୍ରେଣୀର ଦର୍ଜା ପାଇବାକୁ ଦାବି ରଖିଛନ୍ତି । ସେପଟେ ଏହି ସର୍ବଦଳୀୟ ବୈଠକରେ ଆଶ୍ଚର୍ଯ୍ୟଜନକ ଭାବରେ ଟିଡିପି ଚୁପ ରହିଥିଲା । ସେହିଭଳି ବିଜେପି ନେତା ସମ୍ବିତ ପାତ୍ର ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ତାଙ୍କ ଦଳ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ଦାବି ରଖିଛି ।

Get real time updates directly on you device, subscribe now.