ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ୧୯ ଦିନ ମଧ୍ୟରେ ୧୫ କାର୍ଯ୍ୟ ଦିବସ ରହିଥିବାବେଳେ ୨୧ଟି ବିଲ୍ ଉପସ୍ଥାପନ କରାଯିବା ନେଇ ସ୍ଥିର କରାଯାଇଛି । ଏହା ୧୭ତମ ଲୋକସଭାର ଶେଷ ଅଧିବେଶନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
ଅଧିବେଶନର ପ୍ରଥମ ଦିନରେ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ସଦାଚାର କମିଟି ରିପୋର୍ଟ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନ ଉଭୟ ଶାସକ ଏବଂ ବିରୋଧୀ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ତେଣୁ ପ୍ରଥମ ଦିନରୁ ହିଁ ଲୋକସଭା ସରଗରମ ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି । ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯିବାକୁ ଥିବା ୧୯ଟି ବିଲ୍ ମଧ୍ୟରୁ ଦୁଇଟି ଅର୍ଥନୀତିକ ବିଲ୍ ରହିଛି । ଏହା ସହ ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନର ସଂଶୋଧନ ପ୍ରସ୍ତାବ ବି ସାମିଲ ରହିଛି ।