fbpx

ନିର୍ବାଚନ ଆୟୋଗଙ୍କ ଘୋଷଣା: ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେଲେ ରାଜନୈତିକ ଦଳ କାରଣ ଉଲ୍ଲେଖ କରିବେ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ (ଇସିଆଇ) ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୩ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଟି ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ହେବ । ଏହାପରେ ଡିସେମ୍ବର ମାସ ୩ ତାରିଖରେ ଭୋଟ ଫଳାଫଳ ଘୋଷଣା କରାଯିବ । କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ଓ ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ ।

ତେବେ ଅନେକ ସମୟରେ ଅପରାଧିକ ପୃଷ୍ଠଭୂମି ଥିବା କିଛି ନେତାଙ୍କୁ ରାଜନୈତିକ ଦଳମାନେ ଟିକେଟ ଦେଉଥିବା ଦେଖାଯାଇଥାଏ । ତେଣୁ ତାହାକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ପଦକ୍ଷେପ ଗ୍ରହଣ କରିଛନ୍ତି । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେଲେ ଦଳକୁ ତା’ର କାରଣ ଉଲ୍ଲେଖ କରିବାକୁ ପଡ଼ିବ । ସେମାନଙ୍କୁ କାହିଁକି ଟିକେଟ ଦିଆଗଲା, ତାଙ୍କଠାରୁ ଭଲ ପ୍ରାର୍ଥୀ ମିଳିଲେ ନା ନାହିଁ ସେନେଇ ଦଳ ସ୍ପଷ୍ଟ କରିବ ବୋଲି ଆୟୋଗ କହିଛନ୍ତି ।

ଯଦି ପ୍ରାର୍ଥୀଙ୍କ ନାମରେ କିଛି ମାମଲା ଥିବ ତେବେ ସେନେଇ ସମ୍ପୃକ୍ତ ପ୍ରାର୍ଥୀ ଜନସାଧାରଣଙ୍କୁ ଅବଗତ କରାଇବେ । ଏଥିସହିତ ଦଳକୁ ଲୋକଙ୍କ ଅବଗତି ନିମନ୍ତେ ଖବରକାଗଜରେ ୩ଟି ବିଜ୍ଞାପନ ଦେବାକୁ ପଡ଼ିବ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ନଭେମ୍ବର ୭ରେ ମିଜୋରାମ, ନଭେମ୍ବର ୭ ଓ ୧୭ରେ ଛତିଶଗଡ଼, ନଭେମ୍ବର ୧୭ରେ ମଧ୍ୟପ୍ରଦେଶ, ନଭେମ୍ବର ୨୩ରେ ରାଜସ୍ଥାନ ଓ ନଭେମ୍ବର ୩୦ରେ ତେଲେଙ୍ଗାନା ବିଧାନସଭା ପାଇଁ ମତଦାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.