fbpx

ଏସୀୟ କ୍ରୀଡ଼ାରେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

Advertisement

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତମାନେ ଖୁସି ଆଣିଛନ୍ତି । ମହିଳା ୫୦୦୦ ମିଟର ରେସିଂରେ ପାରୁଲ ଚୌଧରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଗତ ୨ ତାରିଖରେ ପାରୁଲ ୩୦୦୦ ମିଟର ଷ୍ଟିପଲଚେଜରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଆଜି ୫୦୦୦ ମିଟର ରେସିଂ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ମହିଳା ୫୦୦୦ ମିଟର ରେସିଂରେ ପାରୁଲ ୧୫:୧୪:୭୫ ସମୟରେ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏସୀୟ କ୍ରୀଡ଼ାରେ ଦୁଇ ଦିନରେ ପାରୁଲ ଦୁଇଟି ପଦକ ଜିତିପାରିଛନ୍ତି । ଶେଷ ୩୦ ମିଟର ଦୂରତା ବାକି ଥିବାବେଳେ ପାରୁଲ ଫ୍ରଣ୍ଟ ରନରଙ୍କୁ ଓଭରଟେକ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

୧୯୯୫ ମସିହା ଏପ୍ରିଲ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ପାରୁଲ କ୍ରମାଗତ ଭାବେ ଅନେକ ବ୍ୟକ୍ତିଗତ ଓ ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଭାରତର ଜଣେ ପ୍ରତିଭାବାନ ଆଥଲେଟ୍ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କାରଣରୁ ପାରୁଲ ଆସନ୍ତା ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି । ଗତ ୧ ତାରିଖ ଅଷ୍ଟମ ଦିନରେ ଭାରତ ୧୫ଟି ପଦକ ଜିତିଥିବା ବେଳେ ୨ ତାରିଖ ନବମ ଦିନରେ ୭ଟି ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୬୦ରେ ପହଞ୍ଚିଥିଲା । ତେଣୁ ଆଜି ଭାରତ କେତେ ପଦକ ଜିତୁଛି ତା’ ଉପରେ ସମସ୍ତଙ୍କର ନଜର ରହିଛି ।

Get real time updates directly on you device, subscribe now.