ସୁଭଦ୍ରା କିସ୍ତିକୁ ନେଇ ବଡ଼ ସୂଚନା, ଅଗଷ୍ଟ ୯ରେ ସବୁ ମହିଳାଙ୍କୁ ମିଳିବନି କିସ୍ତି ଟଙ୍କା

ମାତ୍ର ଏତିକି ମହିଳାଙ୍କ ଆକାଉଣ୍ଟକୁ ରାକ୍ଷୀ ପୂର୍ଣ୍ଣମୀରେ ସୁଭଦ୍ରା ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ।

କୋଣାର୍କ: ସୁଭଦ୍ରା କିସ୍ତିକୁ ନେଇ ସରକାରଙ୍କ ବଡ଼ ଘୋଷଣା। ନିର୍ଦ୍ଧାରିତ ସମୟ ଅର୍ଥାତ୍ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ମହିଳାଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି କୋଣାର୍କରୁ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି, ଅଗଷ୍ଟ ୯ ତାରିଖରେ ୧କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ।

୧ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ଅଗଷ୍ଟ ୯ ତାରିଖରେ ହିଁ ମିଳିବ ସୁଭଦ୍ରା କିସ୍ତି।

ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ଏକାଥରେ ପାଇବେ। ଏହାସହ ଯେଉଁମାନେ ଜିରୋ ଇନକମ୍ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ନଥିବ, ସେମାନଙ୍କୁ ସୁଭଦ୍ରା କିସ୍ତି ଟଙ୍କା ମିଳିବ।

କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ ବୋଲି କହିଲେ ପ୍ରଭାତୀ ପରିଡ଼ା। କିସ୍ତି ଆକାଉଣ୍ଟକୁ ପଠାଯିବା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ୍ କରିବେ ସରକାରଙ୍କ ପ୍ରତିନିଧି। ଅଗଷ୍ଟ ୯ ତାରିଖରେ କିସ୍ତି ମୁଖ୍ୟମନ୍ତ୍ରୀ କୋରାପୁଟ ଜୟପୁର ଗସ୍ତ କରି ପ୍ରଦାନ କରିବେ।