fbpx

ବନ୍ୟା ବିତ୍ପାତରୁ ଫସିଲା ଟ୍ରେନ୍, ଟ୍ରାକରୁ ବାହାରି ଗଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଅବିଶ୍ରାନ୍ତ ବର୍ଷା ଆଉ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଗୋଆରେ । ଫଳରେ ବନ୍ୟା ବିତ୍ପାତରେ ସାଧାରଣ ଜନଜୀବନ ହନ୍ତସନ୍ତ ହୋଇପଡ଼ିଛନ୍ତି । ବିଗତ ୪୦ ବର୍ଷ ମଧ୍ୟରେ ଏହା ଗୋଆରେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ଆଉ ପରିସ୍ଥିତି ଏଭଳି ହୋଇଛି ଯେ ଏକ ପାସେଞ୍ଜର୍ ଟ୍ରେନ୍ ଟ୍ରାକରୁ ବାହରି ମାଟିରେ ଧସେଇ ହୋଇଯାଇଛି ।

ସୂଚନା ଅନୁସାରେ ମାଙ୍ଗାଲୁର ଜଙ୍କସନ-ସିଏସଏମଟି ମୁମ୍ବାଇ ଟ୍ରେନ୍(୦୧୧୩୪) ଦୁଧସାଗର ଏବଂ ସୋନୌଲିମ୍ ମଧ୍ୟଭାଗରେ ଟ୍ରାକ୍ ଭିତରୁ ବାହାରି ଯାଇଥିଲା । ଏହାକୁ ଉଦ୍ଧାରିକାରୀ ଦଳ ଟାଣିଟାଣି ଗୋଆର କୁଲେମ୍ ନେଇଥିବା ଜଣାପଡ଼ିଛି । ତେବେ ସବୁଠୁ ଆଶ୍ୱସ୍ତିକର କଥା ଯେ ଏହି ଦୁର୍ଘଟଣାରେ କାହାର ଜୀବନ ହାନୀ ଘଟିଥିବା ସୂଚନା ରହିନାହିଁ । ସେପଟେ ବନ୍ୟାଯୋଗୁ ଭୂ-ସ୍ଖଳନ ଘଟିଥିବାରୁ ନିଜାମୁଦ୍ଦିନ୍-ବାସକୋ ଡିଗାମା ଏକ୍ସପ୍ରେସକୁ କରନଜୋଲ୍ ଏବଂ ଦୁଧସାଗର ମଧ୍ୟଭାଗରେ ଅଟକାଇ ଦିଆଯାଇଥିଲା ଏବଂ କର୍ଣ୍ଣାଟକର କାସଲ୍ ଷ୍ଟେସନକୁ ଫେରାଇ ନିଆଯାଇଥିଲା ।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଆଉ ନଦୀ ଜଳସ୍ତର ବୃଦ୍ଧି କାରଣରୁ ଉପୁଜିଥିବା ବନ୍ୟା ସ୍ଥିତି ଗୋଆରେ ଗୁରୁତ୍ୱର ପରିସ୍ଥିତି ସୃଷ୍ଟି କରିଛି । ଜଣେ ମହିଳାଙ୍କ ପ୍ରାଣ ଯାଇଥିବାବେଳେ ପ୍ରାୟ ହଜାରେ ଘର କ୍ଷତିଗ୍ରସ୍ତ ହୋଇଯାଇଛି । ଶହଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ବିଶେଷକରି ସତାରି ଓ ବିଚୋଲିମ, ପୋଣ୍ଡା, ଧାରବନ୍ଦୋରା, ବାରଡେଜ୍ ଏବଂ ପେରନମ୍ ତାଲୁକା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.