ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫିକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ନେଇ ଖୁବ ଡ୍ରାମା କରିଛି । ବର୍ତ୍ତମାନ ଆଗାମୀ ଚମ୍ପିଆନ୍ସ ଟ୍ରଫି ନ ଖେଳିବା ପାଇଁ ଧମକ ଦେଉଛି ପାକିସ୍ତାନ । କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡର ଏହି ନଖରା ଉପରେ ମିଳିଛି କଡ଼ା ଜବାବ । ପିସିବି ଅଧିକ ଡ୍ରାମା କଲେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଆଇସିସି । ଯଦି ପିସିବି କୌଣସି କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ପାଇଁ ନିଷ୍ପତ୍ତି ନିଏ, ତେବେ ବୋର୍ଡକୁ ଏକ ବଡ଼ ସମସ୍ୟାର ସାମନା କରିବାକୁ ପଡ଼ିପାରେ । ଏହାସହିତ ବିଭିନ୍ନ ମୋକଦ୍ଦମାର ସାମନା ମଧ୍ୟ କରିବାକୁ ପଡ଼ିପାରେ ।
ଆଇସିସିର ଜଣେ ବରିଷ୍ଠ ଅଧିକାରୀ ଚମ୍ପିଆନ୍ସ ଟ୍ରଫିକୁ ନେଇ ବଡ଼ ସୂଚନା ଦେଇଛନ୍ତି । ଯଦି ଭାରତୀୟ କ୍ରିକେଟ ବୋର୍ଡ ଏବଂ ଆଇସିସି ହାଇବ୍ରିଡ ମଡେଲକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ ନ କରନ୍ତି, ତେବେ ପାକିସ୍ତାନ ପାଇଁ ବିପଦ ବୃଦ୍ଧି ହୋଇପାରେ । ଏଭଳି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ପାରିବ ନାହିଁ । ଏହି ନିଷ୍ପତ୍ତି ବୋର୍ଡ ପାଇଁ ଖୁବ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଅଧିକାରୀ କହିଛନ୍ତି ଯେ ପାକିସ୍ତାନ କେବଳ ଆଇସିସି ସହିତ ଏକ ହୋଷ୍ଟିଂ ଚୁକ୍ତି ସ୍ୱାକ୍ଷର କରିନାହିଁ, ବରଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦେଶମାନଙ୍କ ପରି ଏହା ମଧ୍ୟ ଆଇସିସି ସହିତ ଏକ ସଦସ୍ୟ ବାଧ୍ୟତାମୂଳକ ଅଂଶଗ୍ରହଣ ଚୁକ୍ତି (MPA) ସ୍ୱାକ୍ଷର କରିଛି। ଏହି ଚୁକ୍ତି ପରେ ହିଁ କୌଣସି ପ୍ରତିଯୋଗିତା ପାଇଁ ଆୟୋଜକ ଦେଶକୁ ଟୁର୍ଣ୍ଣାମେଣ୍ଟ ପାଇଁ ଟଙ୍କା ଦିଆଯାଏ ।
ସମସ୍ତ ଟୁର୍ଣ୍ଣାମେଣ୍ଟ ଆଇସିସି ନିଜର ବ୍ରଡକାଷ୍ଟରମାନଙ୍କ ସହ ମଧ୍ୟ ଚୁକ୍ତି କରିଛି । ଏଥିରେ କୁହାଯାଇଛି ଯେ, ଚମ୍ପିଆନ୍ସ ଟ୍ରଫି ସମେତ ଅନ୍ୟ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହାର ସମସ୍ତ ସଦସ୍ୟ ଭାଗ ନେବେ । କିଛି ଦିନ ତଳେ ହାଇବ୍ରିଡ ମଡେଲରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ପାଇଁ ସହମତି ହାସଲ କରିଥିଲା ଆଇସିସି । ଏହାସହିତ ୨୦୨୭ ପର୍ଯ୍ୟନ୍ତ ଆଇସିସିର ସମସ୍ତ ଇଭେଣ୍ଟରେ ଏହି ବ୍ୟବସ୍ଥା ଲାଗୁ ରହିବ । ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ ।
ଯଦି ଏହି ଚୁକ୍ତିନାମା ହୁଏ, ତେବେ ଏହାର ଅର୍ଥ ହେବ ଯେ ୨୦୨୭ ପର୍ୟ୍ୟନ୍ତ ପାକିସ୍ତାନ ଆଇସିସି ପ୍ରତିଯୋଗିତା ପାଇଁ ଭାରତ ଗସ୍ତ କରିବାକୁ ବାଧ୍ୟ ହେବ ନାହିଁ। ପ୍ରସାରଣକାରୀ ଏହା କହିଛନ୍ତି ଯେ, ଯଦି ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରୁ ଓହରିଯାଏ, ତେବେ ଆଇସିସି କାର୍ୟ୍ୟନିର୍ବାହୀ ବୋର୍ଡର ଆଇସିସି ଏବଂ ଅନ୍ୟ ୧୬ ସଦସ୍ୟ ଦେଶ ମଧ୍ୟ ଏହା ବିରୋଧରେ ମକଦ୍ଦମା ଦାୟର କରିପାରିବେ। ପ୍ରସାରଣକାରୀମାନେ ମଧ୍ୟ ଏହି ରାସ୍ତା ଗ୍ରହଣ କରିପାରିବେ କାରଣ ପାକିସ୍ତାନର ପ୍ରସ୍ଥାନ ସମସ୍ତ ହିତାଧିକାରୀଙ୍କ ପାଇଁ କ୍ଷତି ହେବ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ପିସିବି କାର୍ୟ୍ୟନିର୍ବାହୀ ବୋର୍ଡର ଅନ୍ୟ ସଦସ୍ୟଙ୍କଠାରୁ ଦୃଢ ସମର୍ଥନ ପାଇନାହିଁ।