fbpx

କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି: ନିୟମ ନ ମାନିଲେ କର୍ମଚାରୀଙ୍କୁ ମିଳିବନି Pension ଓ Gratuity!

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କର ଜାନୁଆରୀ ମାସର ମହଙ୍ଗା ଭତ୍ତା (ଡିଏ) ବାବଦରେ କେନ୍ଦ୍ର ସରକାର ଖୁବଶୀଘ୍ର ଘୋଷଣା କରିପାରନ୍ତି । ଏହି ଖୁସି ଖବର ପାଇବା ପାଇଁ ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନସନଧାରୀ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଠିକ୍ ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ଏକ କଠୋର ଚେତାବନୀ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିୟମକୁ ଅଣଦେଖା କଲେ ସରକାରୀ କମର୍ଚାରୀମାନେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି ।

ସାଧାରଣ ଭାବେ ଅନେକ ସମୟରେ କିଛି ସରକାରୀ କର୍ମଚାରୀ କାର୍ଯ୍ୟ କ୍ଷେତ୍ରରେ ନିଜର ଦାୟିତ୍ୱହୀନତାର ପରିଚୟ ଦେଇଥାନ୍ତି । ତେବେ ଏନେଇ କେନ୍ଦ୍ର ସରକାର ଏକ ନିୟମ ଲାଗୁ କରିଛନ୍ତି । ଚାକିରି ସମୟରେ କେହି ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅବସର ପରେ ଉକ୍ତ କର୍ମଚାରୀଙ୍କ ପେନସନ ଓ ଗ୍ରାଚ୍ୟୁଟି ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବ । ଏଥିସହିତ ଆଗାମୀ ଦିନରେ ଅଲଗା ଅଲଗା ରାଜ୍ୟର ସରକାର ମଧ୍ୟ ଏହାକୁ ଆପଣାଇବାର ସମ୍ଭାବନା ରହିଛି ।

ପୂର୍ବରୁ କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ ସର୍ଭିସେସ (ସିସିଏସ) (ପେନସନ) ରୁଲ ୨୦୨୧କୁ ନେଇ ନୋଟିଫିକେସନ ଜାରି କରିଥିଲେ । ସରକାରଙ୍କ ତରଫରୁ ଏହି ସିସିଏସ (ପେନସନ) ନିୟମ ୨୦୨୧ର ନିୟମ ୮ରେ ପରିବର୍ତ୍ତନ କରାଯାଇଥିଲା । ସେଥିରେ ନୂଆ ପ୍ରାବଧାନକୁ ସାମିଲ କରାଯାଇଥିଲା । କେନ୍ଦ୍ର କର୍ମଚାରୀମାନେ ଯଦି ନିଜର ଚାକିରି ସମୟରେ କୌଣସି ଗମ୍ଭୀର ଅପରାଧ ବା ଲାପରବାହୀ କାରଣରୁ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ରିଟାୟାର୍ଡ ପରେ ତାଙ୍କର ପେନସନ ଓ ଗ୍ରାଚ୍ୟୁଟି ବନ୍ଦ କରି ଦିଆଯିବ ବୋଲି ନୋଟିଫିକେସନରେ କୁହାଯାଇଥିଲା । ପରିବର୍ତ୍ତିତ ନିୟମ ସମ୍ବନ୍ଧୀୟ ତଥ୍ୟ କେନ୍ଦ୍ର ସରକାର ସମସ୍ତ ସମ୍ବନ୍ଧିତ ପ୍ରାଧିକରଣଙ୍କ ନିକଟକୁ ପଠାଇଥିଲେ ।

ଏଣିକି ଯଦି କୌଣସି କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ବା ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଏହା ବାବଦରେ ସମ୍ବନ୍ଧିତ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏପରିକି କୌଣସି କର୍ମଚାରୀ ଅବସର ପରେ ପେନସନ ବା ଗ୍ରାଚ୍ୟୁଟି ପ୍ରାପ୍ତ କରିସାରିଥିଲେ ହେଁ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କଠାରୁ ପେନସନ ଓ ଗ୍ରାଚ୍ୟୁଟିର ସମ୍ପୂର୍ଣ୍ଣ ଅଥବା ଆଂଶିକ ଅସୁଲ କରାଯିବ ।

Get real time updates directly on you device, subscribe now.