ଭତ୍ତାଧାରୀଙ୍କ ପାଇଁ ଖୁସି ଖବର: ରାଜ୍ୟ ସରକାର ବଢ଼ାଇବେ ଭତ୍ତା ପରିମାଣ, ମାସିକ ମିଳିବ ୭୫୦ ଟଙ୍କା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଓ ମଧୁବାବୁ ପେନସନ୍‌ ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସେମାନଙ୍କ ମାସିକ ଭତ୍ତା ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି । ମାସିକ ସର୍ବନିମ୍ନ ଭତ୍ତା ପରିମାଣ ୫୦୦ ଟଙ୍କାରୁ ୭୫୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏନେଇ ବଜେଟ୍‌ରେ ବ୍ୟୟ ବରାଦ କରାଯିବ ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବର୍ଦ୍ଧିତ ମାସିକ ଭତ୍ତା ମିଳିବ ବୋଲି ସୂଚନା ଦିଆଯାଇଛି । ଏହାଫଳରେ ୪୮ଲକ୍ଷ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ, କିନ୍ନର, ଅନାଥ ଶିଶୁ ଓ ଅବିବାହିତ ଝିଅମାନେ ଉପକୃତ ହେବେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ଭତ୍ତା ଯୋଗାଇ ଦିଆଯିବ । ୬୦ରୁ ୬୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ମାସିକ ଭତ୍ତା ଆକାରରେ ୫୦୦ ଟଙ୍କା ପରିବର୍ତ୍ତେ ୭୫୦ ଟଙ୍କା, ୮୦ ବର୍ଷରୁ ଊଦ୍ଧ୍ୱର୍ଙ୍କୁ ୭୦୦ରୁ ୯୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ତଥା ୬୦% ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୯୦୦ଟଙ୍କା ବଦଳରେ ୧୦୦୦ ଟଙ୍କା ମାସିକ ଭତ୍ତା ଯୋଗାଇ ଦିଆଯିବ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ମୋଟ୍‌ ୨୮.୩୩ ଲକ୍ଷ ହିତାଧିକାରୀଙ୍କୁ ମାସିକ ଭତ୍ତା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ଏହି ଯୋଜନାରେ ୨୭.୭୦ ଲକ୍ଷ ହିତାଧିକାରୀ ଭତ୍ତା ପାଉଛନ୍ତି । ରାଜ୍ୟର ମୋଟ୍‌ ୬୭୯୮ଟି ପଞ୍ଚାୟତର ପ୍ରାୟ ୬.୭୯ ଲକ୍ଷ ଲୋକଙ୍କୁ ମାସିକ ଭତ୍ତା ବାବଦରେ ଅତିରିକ୍ତ ୪୫୦ କୋଟି ଟଙ୍କା ବ୍ୟୟ ହେବ ।

ଏନେଇ ଅର୍ଥବିଭାଗକୁ ପ୍ରସ୍ତାବ ଦିଆଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ମଧୁବାବୁ ପେନସନ୍‌ ଯୋଜନାରେ ପ୍ରତି ପଞ୍ଚାୟତରେ ଅତିରିକ୍ତ ୧୦୦ ଜଣ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଏବେ ରାଜ୍ୟରେ ମୋଟ୍‌ ୨୦.୩୭ ଲକ୍ଷ ହିତାଧିକାରୀଙ୍କୁ ମାସିକ ଭତ୍ତା ଯୋଗାଇ ଦିଆଯାଉଛି । ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ କେନ୍ଦ୍ର ସରକାର ଦେଉଥିବା ମାସିକ ଭତ୍ତାରେ ରାଜ୍ୟ ସରକାରଙ୍କ ସିଂହଭାଗ ରହୁଛି । ଏହି ଯୋଜନାରେ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।