fbpx

ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଲୋକେ : ଟାୟାର ଜଳାଇ ରାସ୍ତାରୋକ ସହ ଟାଟା କର୍ମଚାରୀଙ୍କୁ ଅଟକ

ବ୍ରହ୍ମପୁର : ବିଦ୍ୟୁତ କାଟକୁ ନେଇ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁର ସ୍ଥାନୀୟ ଲୋକେ ରାସ୍ତାରୋକ ରଖିଛନ୍ତି । ବିଳମ୍ବିତ ରାତିରୁ ଏହା ଆରମ୍ଭ ହୋଇଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବହୁ ଦିନ ଧରି ଗୋଷାଣୀ ନୂଆଗାଁ ରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଗତକାଲି ମଧ୍ୟ ରାତି ୧୧ ଟାରୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ରାଗି ବିଳମ୍ବିତ ରାତିରେ ହିଁ ରାସ୍ତା ଉପରକୁ ଓହ୍ଲାଇ ଟାୟାର ଜାଳିଥିଲେ ।

ସୂଚନା ଅନୁସାରେ, ଦୀର୍ଘ ଦିନରୁ ବାରମ୍ବାର ବିଦ୍ୟୁତ କାଟ ଲାଗିରହିଛି । ଗତକାଲି ରାତି ପ୍ରାୟ ୧୧ଟାରେ କୌଣସି କାରଣରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆ ଯାଇ ନାହିଁ । ଯାହା ଫଳରେ ସ୍ଥାନୀୟ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଦ୍ୟୁତ କାଟ ପରେ ପରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ଟାୟାର ଜଳାଇ ରାସ୍ତା ରୋକ କରିଛନ୍ତି । ଏହା ସହିତ ଟାଟା ପାୱାରର ଦୁଇ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଏବଂ କହିଛନ୍ତି ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ । ଏହା ପରେ ମଧ୍ୟ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ । ଯାହାଫଳରେ ଲୋକଙ୍କୁ ପିଲାଙ୍କ ପାଠପଢା, ପାଣିର ସମସ୍ୟା, ଅସହ୍ୟ ଗୁଳୁଘୁଳି ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି ।

ଅନ୍ୟପକ୍ଷରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ସ୍ଥାନୀୟ ଲୋକେ ଏହି ସମସ୍ୟାର ସମାଧାନ ସ୍ଥାୟୀ ଭାବରେ ଶୀଘ୍ର କରାଯାଉ ବୋଲି ଯିଦରେ ଅଟଳ ରହିଛନ୍ତି । ଏଭଳି ସମସ୍ୟା ବାରମ୍ବାର ଉପୁଜୁଥିବାରୁ ଗତକାଲି ପୌର ପରିଷଦର କାଉନସିଲ ବୌଠକରେ ଉଦବେଗ ପ୍ରକାଶ ପାଇଥିଲା । ବୌଠକରେ ଟାଟା ପାୱାର କର୍ମଚାରୀଙ୍କୁ ତାଗିଦ କରାଯାଇଥିଲା ମଧ୍ୟ ବିଦ୍ୟୁତ କାଟ ହେଉଛି, ଯାହାଫଳରେ ଲୋକେ ରାଗର ବସବର୍ତ୍ତି ହୋଇ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.