fbpx

୧୧ ଦିନରେ ତୈଳ ଦର ବଢିଲାଣି ୨.୫୦ ଟଙ୍କା, ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ ୧୮ ।୦୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ୍ ଦର ବଢିବାରେ ଲାଗିଛି । ଏହା ସାଧାରଣ ଜନତାଙ୍କ ମୁସ୍କିଲକୁ ଆହୁରି ବଢାଇ ଦେଇଛି । ମଙ୍ଗଳବାର ପୁଣି ଥରେ ବୃଦ୍ଧି ଘଟିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା ୨୪ ରୁ ୨୭ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ୍ ଲିଟର ପିଛା ୨୭ ରୁ ୩୧ ପଇସା ବଢିଛି । ଗୋଟିଏ ପଟେ ଲକଡାଉନ ଯୋଗୁଁ କୋଟି କୋଟି ଲୋକଙ୍କ ଆୟ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ତୈଳ ଦର ବୃ୍‌ଦ୍ଧି ଜନତାଙ୍କୁ ଆହୁରି କଲବଲ କରୁଛି । କାରଣ ତୈଳ ଦର ବଢିଲେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି ।

ଦେଶର ସବୁ ସହରରେ ବର୍ତମାନ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ସ୍ତରରେ ରହିଛି । ଗତ କିଛି ଦିନ ହେବ ଇନ୍ଧନ ଦର କ୍ରମାଗତ ବଢିବାରେ ଲାଗିଛି । ଅନେକ ସହରରେ ଏହା ୧୦୦ ଟଙ୍କା ଅତିକ୍ରମ କରି ସାରିଛି । ମଧ୍ୟ ପ୍ରଦେଶର ଇନ୍ଦୋର, ଭୋପାଳ ଓ ରାଜସ୍ଥାନର ଜୟପୁର ସମେତ ଅନେକ ସହରରେ ତୈଳ ଦର ଲିଟର ପିଛା ଶତକର ନିକଟତର ହୋଇଛି ।

୧୧ ଦିନରେ ବଢିଲା ୨.୫୦ ଟଙ୍କା

ପାଂଚ ରାଜ୍ୟରେ ବିଧାନସଭା ସଂପନ୍ନ ପରଠୁ ପେଟ୍ରୋଲ-ଡିଜେଲ୍ ଦର ଲଗାତାର ବଢି ଚାଲିଛି । ଧିରେ ଧିରେ ବଢି ପେଟ୍ରୋଲ ଲିଟର ପ୍ରତି ୧୧ ଦିନରେ ୨ ଟଙ୍କା ୫୦ ପଇସା ବଢି ସାରିଲାଣି ।

୨.୭୮ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ସେହିପରି ଡିଜେଲ୍ ଦର ମଧ୍ୟ ମହଙ୍ଗା ହୋଇଛି । ଏହି ୧୧ ଦିନରେ ଡିଜେଲ୍ ଲିଟର ପିଛା ୨.୭୮ ଟଙ୍କା ମହଙ୍ଗା ହୋଇଛି ।

ଭୁବନେଶ୍ୱରରେ ବଢିଲା ତୈଳ ଦର

ଭୁବନେଶ୍ୱରରେ ମଙ୍ଗଳବାର ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ଘଟିଛି । ଲିଟର ପିଛା ଆଜି ୨୭ ପଇସା ମହଙ୍ଗା ହୋଇଛି । ଏହା ପରେ ରାଜ୍ୟ ରାଜଧାନୀରେ ପେଟ୍ରୋଲ ଦର ଲିଟର ପ୍ରତି ୯୩.୫୬ ଟଙ୍କାକୁ ବୃଦ୍ଧି ଘଟିଛି । ସେହିପରି ଡିଜେଲ୍ ମୂଲ୍ୟ ଲିଟର ପିଛା ୩୨ ପଇସା ମହଙ୍ଗା ହୋଇ ୯୦.୯୮ ଟଙ୍କାକୁ ବୃଦ୍ଧି ଘଟିଛି ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୨.୮୫ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୮୩.୫୧ ଟଙ୍କାରେ ପହଂଚିଛି । ସେହି ପରି ମୁମ୍ବଇରେ ପେଟ୍ରୋଲ ୯୯.୧୪ ଟଙ୍କା ଏବଂ ଡିଜେଲ୍ ୯୦.୭୧ ଟଙ୍କା ରହିଛି । ଏହି ପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୨.୯୨ ଟଙ୍କା ଓ ଡିଜେଲ୍ ଲିଟର ପ୍ରତି ଦାମ ୮୬.୩୫ ଟଙ୍କା ରହିଛି । ଚେନ୍ନାଇରେ ଲିଟର ପ୍ରତି ପେଟ୍ରୋଲ ୯୪.୫୪ ଟଙ୍କା ଓ ଡିଜେଲ୍ ମୂଲ୍ୟ ୮୮.୩୪ ଟଙ୍କା ରହିଛି ।

 

Get real time updates directly on you device, subscribe now.