fbpx

ପେଟ୍ରୋଲ-ଡିଜେଲ୍ ଦର ଭାଙ୍ଗିଲା ସବୁ ରେକର୍ଡ: ମେ ମାସରେ ମହଙ୍ଗା ହେଲା ୪.୧୭ ଟଙ୍କା, ଜାଣନ୍ତୁ ଆଜି କେତେ ବଢିଲା ତେଲ ଦାମ

ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ମହାମାରୀ କାରଣରୁ ଲାଗୁ ଲକଡାଉନ ଲୋକଙ୍କ ଜୀବନ ଦୁର୍ବିସହ କରିଥିବା ବେଳେ ଅନ୍ୟ ପଟେ ତୈଳ ଦର ବୃଦ୍ଧି ବେଡି ଉପରେ କରଡା ମାଡ ସଦୃଶ ହୋଇଛି । ସଙ୍କଟ ସମୟରେ ଯେଉଁଠି ଦାମ କମ କରାଯାଇ ଜନତାଙ୍କୁ ଆଶ୍ୱସ୍ତି ଦେବା କଥା, ସେହି ସମୟରେ ଓଲଟା ଦାମ ବଢାଯାଇ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭଙ୍ଗା ଯାଉଛି । ତେଲ ଦର ବଢୁଥିବାରୁ ଅନ୍ୟ ସାମଗ୍ରୀର ଦାମ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ସଂପ୍ରତି ସମସ୍ତ ରେକର୍ଡ ଭାଙ୍ଗିଛି । ଦୁଇ ଦିନ ପରେ ଶୁକ୍ରବାର ଦେଶରେ ତୈଳ ଦର ବୃଦ୍ଧି ଘଟିଛି । ସରକାରୀ ତୈଳ କମ୍ପାନୀ ପେଟ୍ରୋଲ ଲିଛା ୨୭ ପଇସା ଏବଂ ଡିଜେଲ ଲିଟର ପିଛା ୨୮ ପଇସା ବୃ୍‌ଦ୍ଧି କରିଛନ୍ତି । ଏହା ପରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪.୭୬ ଟଙ୍କା ଏବଂ ଡିଜେଲ ୮୫.୬୬ ଟଙ୍କାରେ ପହଂଚିଛି । ଏହା ପୂର୍ବରୁ ଜୁନ ୧ରେ ତେଲ ଦର ବଢିଥିଲା । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତେଲ ଦର ମହଙ୍ଗା ହୋଇଛି ।

ଜୁନ ମାସ ଆରମ୍ଭରୁ ଦୁଇ ଥର ତୈଳ ଦାମରେ ବୃଦ୍ଧି ଘଟିଲାଣି । ମେ ମାସରେ ନିୟମିତ ଭାବେ ୧୭ ଥର ତୈଳ ଦର ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ସହ ପେଟ୍ରୋଲ ଲିଟର ପ୍ରତି ୪.୧୭ ଟଙ୍କା ମହଙ୍ଗା ହୋଇ ଥିବା ବେଳେ ଡିଜେଲ୍ ୪.୬୦ ଟଙ୍କା ମହଙ୍ଗା ହୋଇଛି । ଅନେକ ସହରରେ ସଂପ୍ରତି ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି ।

ଏହି ପରି ଦେଶରେ ତେଲ ଦର ଦିନକୁ ଦିନ ଅଧିକ ମହଙ୍ଗା ହେବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୨୭ ଟଙ୍କା ଓ ଡିଜେଲ୍ ୩୧ ପଇସା ମହଙ୍ଗା ହୋଇଛି । ଏହା ପରେ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଲିଟର ପ୍ରତି ୯୫.୪୯ ଟଙ୍କା ଏବଂ ଡିଜେଲ୍ ୯୩.୩୪ ଟଙ୍କା ବିକ୍ରି ହେଉଛି ।

ସେହି ପରି ଦିଲ୍ଲୀରେ ପେଟ୍ରୋଲ ୯୪.୭୬ ଏବଂ ଡିଜେଲ୍ ଲିଟର ପିଛା ୮୫.୬୬ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୦.୯୮ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୯୨.୯୯ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୬.୨୩ ଏବଂ ଡିଜେଲ୍ ୯୦.୩୮ ଟଙ୍କା ଲିଟର ପ୍ରତି ରହିଛି । କୋଲକାତାରେ ପେଟ୍ରୋଲ ୯୪.୭୬ ଏବଂ ଡିଜେଲ୍ ୮୮.୫୧ ଟଙ୍କା ଏବଂ ବେଙ୍ଗାଲୁରୁରେ ପେଟ୍ରୋଲ ୯୭.୯୨ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୯୦.୮୧ ଟଙ୍କା ରହିଛି ।

Get real time updates directly on you device, subscribe now.