fbpx

ରାଜ୍ୟର ସମସ୍ତ ସରକାରୀ ବିଭାଗରୁ ପେଟ୍ରୋଲ, ଡିଜେଲ ଗାଡ଼ି ହଟିଯିବ: ଲାଗୁହେବ ବିଦ୍ୟୁତଚାଳିତ ଯାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ସରକାରୀ ବିଭାଗରୁ ପେଟ୍ରୋଲ ଓ ଡିଜେଲ ଚାଳିତ କାର ହଟିଯିବ । ଉକ୍ତ ସ୍ଥାନରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର କରାଯିବ । ସମସ୍ତ ମନ୍ତ୍ରୀ, ଅଧିକାରୀମାନେ ବିଦ୍ୟୁତଚାଳିତ ଯାନ (ଇଭି) ବ୍ୟବହାର କରିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଇଭି ନୀତି ପ୍ରଣୟନ କରିଛନ୍ତି ।

ତେବେ ଇଭି ବ୍ୟବହାର ପୂର୍ବରୁ ତା’ର ଭଡ଼ା ନିର୍ଦ୍ଧାରଣ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । କିଛିଦିନ ପୂର୍ବରୁ ଇଭି ନିର୍ମାତା କମ୍ପାନୀର ଅଧିକାରୀମାନେ ଆସି ଡେମୋ ଦେଇଥିଲେ । ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ଇନ୍ଧନ ଚାଳିତ ଯାନକୁ ଆଗାମୀ ଦିନରେ ଧୀରେଧୀରେ ହଟାଇ ଦିଆଯିବ । ପୂର୍ବରୁ ଚୁକ୍ତିରେ ନିୟୋଜିତ ଥିବା ଇନ୍ଧନ ଚାଳିତ ଗାଡ଼ିର ଚୁକ୍ତି ସମାପ୍ତ ପରେ ସେହି ସ୍ଥାନରେ ଇଭି ଯାନ ବ୍ୟବହାର କରାଯିବ ।

ଇଭିର ଭଡ଼ା ଓ ପରିଚାଳନା ଖର୍ଚ୍ଚ ଧାର୍ଯ୍ୟ କରିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ପରିବହନ ବିଭାଗକୁ କୁହାଯାଇଛି । ରାଜ୍ୟରେ ଟାଟା ନେକ୍ସନ, ଟାଟା ଟିଗୋର, ଟାଟା ଏକ୍ସପ୍ରେସ, ହ୍ୟୁଣ୍ଡାଇ କୋନା, ଭଳି ଇଭି ମଡେଲ ଚାଲିବା ପାଇଁ ଯୋଜନା ଚାଲିଛି । ଏହି ଗାଡ଼ିର ମାସକୁ ଗତି କେତେ, ରକ୍ଷଣବେକ୍ଷଣ ଖର୍ଚ୍ଚ କେତେ ତାକୁ ବିଚାର କରି ଭଡ଼ା ନିର୍ଦ୍ଧାରଣ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଭିନ୍ନ ମନ୍ତ୍ରଣାଳୟରେ ଇନ୍ଧନ ଚାଳିତ ଗାଡ଼ି ବଦଳରେ ଇଭି ଯାନ ବ୍ୟବହାର ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.