fbpx

ଦେଶରେ ଏହି ସ୍ଥାନରେ ମିଳୁଛି ସବୁଠାରୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ

ଦେଶରେ ଭାରତ-ପାକିସ୍ତାନ ସୀମା ନିକଟବର୍ତ୍ତୀ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଦାମ ୧୨୨ ପାର କରିଛି । ଏଠାରେ ପେଟ୍ରୋଲ ଦର ପ୍ରତି ଲିଟର ୧୨୨.୮୯ ଟଙ୍କା ଏବଂ ଡିଜେଲ ୧୦୫,୩୧ ଟଙ୍କାରେ ମିଳୁଛି । ରାଜସ୍ଥାନର ଶ୍ରିଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲର ଏହି ଦର ଦେଶରେ ସର୍ବାଧିକ । ପଞ୍ଜାବ ଏବଂ ହରିୟାଣା ସୀମା ନିକଟବର୍ତ୍ତୀ ଏହି ଜିଲ୍ଲାର ଲୋକେ ଦେଶରେ ସବୁଠୁ ଅଧିକ ଦାମରେ ପେଟ୍ରୋଲ-ଡିଜେଲ କିଣିବାକୁ ବାଧ୍ୟ ହେଉଛନ୍ତି ।

ତେବେ ଏହି ଜିଲ୍ଲାକୁ ଲାଗିଥିବା ପଡୋଶୀ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୭ ଓ ୧୧ ଟଙ୍କା କମ୍ ରେ କିଣୁଛନ୍ତି । ଏହି କାରଣରୁ ପଞ୍ଜାବ ବର୍ଡର ନିକଟବର୍ତ୍ତୀ ପମ୍ପରେ ରାଜସ୍ଥାନ ଲୋକଙ୍କର ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି । ଏବଂ ଶ୍ରୀଗଙ୍ଗାନଗର ପମ୍ପ ଗୁଡ଼ିକ ଫାଙ୍କା ପଡିଥିବାର ଦେଖାଯାଇଛି । ଅନ୍ୟପଟେ ଗତ ୧୦ ଦିନ ଧରି ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ବୃଦ୍ଧି ହୋଇ ନଥିଲେ ମଧ୍ୟ ଏଠାରେ ପେଟ୍ରୋଲ ଏବଂ ଡିଜେଲ ଦର ଦେଶରେ ସର୍ବାଧିକ ଅଟେ ।

ଶ୍ରୀଗଙ୍ଗାନଗର ଘରୋଇ ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ ଜିଲ୍ଲାଧ୍ୟକ୍ଷ ଆଶୁତୋଷ ଗୁପ୍ତା କହିଛନ୍ତି ଯେ ରାଜସ୍ଥାନର ରାଜଧାନୀ ଜୟପୁର ତୁଳନାରେ ଏଠାରେ ପେଟ୍ରୋଲ ଏବଂ ଡିଜେଲ ୪ରୁ ୬ ଟଙ୍କା ପ୍ରତି ଲିଟର ଅଧିକ ଅଟେ । ତେବେ ଶ୍ରୀଗଙ୍ଗାନଗରଠାରୁ ମାତ୍ର ୫ରୁ ୭ କିଲୋମିଟର ଦୂରରେ ଥିବା ପଡୋଶୀ ରାଜ୍ୟରେ ପେଟ୍ରୋଲ ୧୭ ଏବଂ ଡିଜେଲ ୧୧ ଟଙ୍କା ଶସ୍ତାରେ ମିଳୁଛି । ଦର ବୃଦ୍ଧି କାରଣରୁ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ବହୁତ୍ ହ୍ରାସ ପାଇଛି ।

Get real time updates directly on you device, subscribe now.