fbpx

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ଫିଜିକାଲ ଶୁଣାଣି

ନୂଆଦିଲ୍ଲୀ: ସ୍ୱାଭାବିକ ସ୍ଥିତିକୁ ଫେରୁଛି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହୋଇଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । ବାର ଆସୋସିଏସନର ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିବା ସହ ସ୍ବାଭାବିକ ଶୁଣାଣି ନେଇ ଏସଓପି ଜାରି କରିଛନ୍ତି ।

ଏସଓପି ଅନୁସାରେ, ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ, ସେହିଦିନ ସ୍ବାଭାବିକ ଶୁଣାଣି ହୋଇପାରିବ । ଚୂଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନ ଗୁଡିକରେ ସ୍ବାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ । ଏହାସହ ଯଦି ଖଣ୍ଡପୀଠ ଚାହାଁନ୍ତି, ତେବେ ଅନ୍ୟ ଦିନ ଗୁଡିକରେ ସ୍ବାଭାବିକ ଭାବେ ଶୁଣାଣି ହୋଇପାରିବ । ଯଦି ବିଭିନ୍ନ ପକ୍ଷ ଲାଗି ୨୦ରୁ ଅଧିକ ଲେଖାଏଁ ଓକିଲ କୋର୍ଟ ରୁମ୍ ପିଛା ରହନ୍ତି, ତେବେ ଭିଡିଓ ବା ଟେଲି କନଫରେନ୍ସ ଜରିଆରେ ଶୁଣାଣି ହୋଇପାରିବ ।

ସ୍ୱାଭାବିକ ଶୁଣାଣି ଲାଗି ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ ବା ତାଙ୍କ ପ୍ରତିନିଧି, ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିଅର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ ଲାଗି ଅନୁମତି ଦିଆଯିବ । ପକ୍ଷ ପିଛା ଜଣେ ପଞ୍ଜିକୃତ କିରାଣିଙ୍କୁ ବି ଅନୁମତି ମିଳିବ ।

Get real time updates directly on you device, subscribe now.