ୟୁକ୍ରେନ ସଂକଟକୁ ନେଇ ପୁଣି ମୋଦୀଙ୍କ ସମୀକ୍ଷା: ଏବେବି ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଉପରେ ଗୁରୁତ୍ତ୍ୱ

ନୂଆଦିଲ୍ଲୀ: ୟୁକ୍ରେନ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ପୁଣି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରହିଥିଲେ ଏଥିରେ ୟୁକ୍ରେନର ସୁମୀରେ ଫସିଥିବା ଭାରତୀୟଙ୍କ ସହ ଅନ୍ୟ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଥିଲା । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ବୈଠକ ହୋଇସାରିଛି ।

ଏହାପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରାଳୟ ଦାବି କରିଥିଲା ଯେ ଖାରକିଭରୁ ସବୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ହୋଇସାରିଛି । ଏବେ ମୁଖ୍ୟ ଲକ୍ଷ୍ୟ ରହିଛି ୟୁକ୍ରେନର ସୁମୀରେ ଫସିଥିବା ୭୦୦ ଭାରତୀୟଙ୍କୁ ଉଦ୍ଧାର କରିବା ଯେଉଁଠାରେ ବିସ୍ପୋରଣ ଏବଂ ଏୟାର ଆଟାକ ଚାଲିଛି ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୪ ତାରିଖରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଆଜି ଆକ୍ରମଣ ଦଶମ ଦିନରେ ପହଞ୍ଚିଛି । ଏହି ଆକ୍ରମଣରେ ଉଭୟ ଦେଶର ଅନେକ ସୈନିକ କ୍ଷତିଗ୍ରସ୍ତ ହୋଇଛନ୍ତି ।