fbpx
BSKY SKY
BSKY SKY

ସାଂଘାତିକ ତ୍ରୁଟି! ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ମୋଦୀଙ୍କ ଫଟୋ, ପରୀକ୍ଷାରୁ ବଞ୍ଚିତ ହେବା ଆଶଙ୍କାରେ ପରୀକ୍ଷାର୍ଥୀ

BSKY

ନୂଆଦିଲ୍ଲୀ: ଅନେକ ସମୟରେ ଶିକ୍ଷାନୁଷ୍ଠାନର ଭୁଲ୍ କାରଣରୁ ବିନା ଦୋଷରେ ଛାତ୍ରଛାତ୍ରୀମାନେ ହୀନସ୍ତା ହୋଇଥାନ୍ତି । ଏପରିକି ଅନେକ ସମୟରେ କିଛି ପିଲା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହୋଇଥିବାର ଦେଖାଯାଇଛି । ତେବେ ଏହା ମଧ୍ୟରେ ବିହାରରୁ ଆସିଛି ଏକ ବଡ଼ ଖବର । ଗୋଟିଏ ବିଶ୍ୱବିଦ୍ୟାଳୟର ସାଂଘାତିକ ତ୍ରୁଟି କାରଣରୁ ଜଣେ ଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । ଏପରିକି ସମ୍ପୃକ୍ତ ଛାତ୍ରୀ ଏବେ ପରୀକ୍ଷାରୁ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ବିହାରର ଲଲିତ ନାରାୟଣ ମିଥିଳା ୟୁନିଭରସିଟିରେ ଦେଖିବାକୁ ମିଳିଛି ଏଭଳି ଏକ ତ୍ରୁଟି । ଯୁକ୍ତତିନି ଦ୍ୱିତୀୟ ଭାଗ ପରୀକ୍ଷାର ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଭୁଲବଶତଃ ପ୍ରକାଶିତ ହୋଇଛି । ବେଗସରାଇର ଗଣେଶ ଦତ୍ତ କଲେଜର ଆଝୁଲ କୁମାରୀ ନାମକ ଜଣେ ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ମୋଦୀଙ୍କ ଫଟୋ ଲାଗିବା ଏବେ ତାଙ୍କର ସମସ୍ୟା ବଢ଼ାଇ ଦେଇଛି । ସେ ପରୀକ୍ଷାରୁ ବଞ୍ଚିତ ହୋଇ ପାରନ୍ତି ବୋଲି ଚିନ୍ତିତ ରହିଛନ୍ତି ।

ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବିଶ୍ୱବିଦ୍ୟାଳୟ ଏହାର ସମାଧାନ ପାଇଁ ହେଲପ ଡେସ୍କ ପ୍ରତିଷ୍ଠା କରିବା ଆବଶ୍ୟ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି । ଅନ୍ୟପକ୍ଷରେ ଏହା ଏକ କ୍ଲରିକାଲ ଏରର ବୋଲି କଲେଜର ପ୍ରିନ୍ସିପାଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଡମିଟ୍ କାର୍ଡରେ କୌଣସି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଫଟୋ ଛାପିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ଆଡମିଟ କାର୍ଡରେ ବିହାର ରାଜ୍ୟପାଳ ଫଗୁ ଚୌହାନ, ବଲିଉଡ ଅଭିନେତ୍ରୀ ସନି ଲିଓନି, ଇମ୍ରାନ ହାସମୀ, ଅମିତାବ ବଚନ, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ଫଟୋ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.