ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ହଠାତ ନୂଆ ସଂସଦ ଗୃହକୁ ପରିଦର୍ଶନ କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ବିତାଇ ବିଭିନ୍ନ କାର୍ଯ୍ୟ ଯାଞ୍ଚ କରିଥିଲେ। ସଂସଦର ଉଭୟ ଗୃହରେ ଚାଲିଥିବା କାର୍ଯ୍ୟ ଉପରେ ସେ ନଜର ରଖିଥିଲେ। ତେବେ ନିର୍ମାଣାଧୀନ ଦେଶର ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି।
ଏହି ସମୟରେ ପ୍ରଧାନମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ୧୦ ଡିସେମ୍ବର ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ(ସେଣ୍ଟ୍ରାଲ ଭିସ୍ତାରା ପ୍ରକଳ୍ପ) ଗୃହର ମୂଳଦୁଆ ପକାଇଥିଲେ।
ସୂଚନା ଅନୁଯାୟୀ, ଏହି ‘ସେଣ୍ଟ୍ରାଲ ଭିସ୍ତାରା ପ୍ରକଳ୍ପ’ ଟାଟା ପ୍ରୋଜେକ୍ଟକୁ ୨୦୨୦ ରେ ୮୬୧.୯ କୋଟି ଟଙ୍କାରେ ଟେଣ୍ଡର ଦିଆଯାଇଥିଲା। ପରେ ଯାହାର ମୂଲ୍ୟ ପରେ ପ୍ରାୟ ୧,୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ନୂତନ ସଂସଦ ଭବନରେ ଲୋକସଭା ଚଟାଣର ପ୍ଲାନିଂ ଜାତୀୟ ପକ୍ଷୀ ମୟୂର ଥିମ ଉପରେ ରଖାଯାଇଛି। ପୁରୁଣା ସଂସଦ ଗୃହଠାରୁ ନୂତନ ସଂସଦ ଗୃହ ପ୍ରାୟ ୧୭,୦୦୦ ବର୍ଗ ମିଟର ବଡ଼।
୧୩ ଏକର ଜମିରେ ନିର୍ମିତ ହୋଇଥିବା ଏହି ସଂସଦର ନୂତନ ଭବନରେ ଏକ ସମୟରେ ୧୨୦୦ ରୁ ଅଧିକ ସାଂସଦ ବସିବାର ସୁବିଧା ରହିଛି। ଏଥିରେ ୮୮୮ ସାଂସଦ ଲୋକସଭାରେ ବସିପାରିବେ ଏବଂ ୩୮୪ ସାଂସଦ ରାଜ୍ୟସଭାରେ ବସିପାରିବେ। ଏହି ନୂତନ ଭବନରେ ଏକ ସୁନ୍ଦର ସମ୍ବିଧାନ କକ୍ଷ ମଧ୍ୟ ନିର୍ମାଣ କରାଯାଇଛି। ଏହା ସହିତ ଏହି ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ଲାଉଞ୍ଜ, ଲାଇବ୍ରେରୀ, କମିଟି ହଲ୍, କ୍ୟାଣ୍ଟିନ ଏବଂ ପାର୍କିଂ ସୁବିଧା ମଧ୍ୟ ରହିଛି। ନୂତନ ସଂସଦ ଭବନ ସଂପୂର୍ଣ୍ଣ ଭୂକମ୍ପ ପ୍ରତିରୋଧକ, ଯାହାର ଡିଜାଇନ୍ ‘HCP ଡିଜାଇନ୍, ପ୍ଲାନିଂ ଏବଂ ପରିଚାଳନା ପ୍ରାଇଭେଟ ଲିମିଟେଡ୍’ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଆର୍କିଟେକ୍ଟ ହେଉଛନ୍ତି ବିମଲ ପଟେଲ।