fbpx

ମୋଦୀ-ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ ଭେଟ: ହିରୋସୀମାରେ ଏକାଠି ହେଲେ ଭାରତ ଓ ୟୁକ୍ରେନର ଦୁଇ ଶୀର୍ଷ ନେତା

ନୂଆଦିଲ୍ଲୀ: ଜାପାନର ହିରୋସୀମାଠାରେ ଆଜି ବିଶ୍ୱର ଅନ୍ୟତମ ଦୁଇ ପ୍ରମୁଖ ନେତା ଏକାଠି ହୋଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଛି । ଏହି ସାକ୍ଷାତ ଅବସରରେ ଦୁଇ ଦେଶର ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା । ଗୋଟିଏ ପଟେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହି ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଛି ।

ଏହା ପୂର୍ବରୁ ମୋଦୀ-ଜେଲେନସ୍କିଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହୋଇଥିଲା । ତେବେ ଆଜି ପ୍ରଥମ ଥର ପାଇଁ ଦୁଇ ନେତା ମୁହାଁମୁହିଁ କଥା ହୋଇଥିଲେ । ଏହି ଅବସରରେ ମୋଦୀ କହିଥିଲେ, ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଏକ ମୁଖ୍ୟ ଘଟଣା । ଏହି ଯୁଦ୍ଧର ପ୍ରଭାବ ସାରା ଦୁନିଆ ଉପରେ ପଡ଼ୁଛି । ଏହା ଏକ ସାଧାରଣ ପ୍ରସଙ୍ଗ ନୁହେଁ । ମୋ ପାଇଁ ଏହା ଅର୍ଥବ୍ୟବସ୍ଥା, ରାଜନୀତି ଓ ମାନବୀୟ ପ୍ରସଙ୍ଗ ଅଟେ । ଯୁଦ୍ଧ ସମାଧାନ ପାଇଁ ଭାରତ କିଛି ବି ପଦକ୍ଷେପ ଗ୍ରହଣ କରିପାରେ । ଯୁଦ୍ଧର ଯନ୍ତ୍ରଣା କେତେ ତାହା ଆମେ ୟୁକ୍ରେନଠାରୁ ଅଧିକ ଜାଣିଛୁ ।

ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ଜି-୭ ସମ୍ମିଳନୀରେ ସାମିଲ ହେବ ପାଇଁ ଗତ ୧୯ ତାରିଖରେ ମୋଦୀ ଜାପାନର ହିରୋସୀମାରେ ପହଞ୍ଚିଥିଲେ । ସେଠାରେ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ଜି-୭ ଓ ଜି-୨୦ର ଅଧ୍ୟକ୍ଷତା ନେଇ ସୃଷ୍ଟି ଚ୍ୟାଲେଞ୍ଜ ଉପରେ ଅବଗତ କରାଇଥିଲେ । ଏଥିସହିତ ମୋଦୀ ଆଜି ମହାତ୍ମାଗାନ୍ଧିଙ୍କ ପ୍ରତିମାକୁ ଅନାବରଣ କରିଥିଲେ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

Get real time updates directly on you device, subscribe now.