fbpx

ପୁଟିନ ଗଠନ କରିବେ ସୋଭିଏତ ସଙ୍ଘ, ମୋଦୀ ଗଠନ କରନ୍ତୁ ଅଖଣ୍ଡ ଭାରତ, ସୋସିଆଲ ମିଡ଼ିଆରେ ‘PoK’ ଟ୍ରେଣ୍ଡିଂ

ନୂଆଦିଲ୍ଲୀ: ଆଜି ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପଞ୍ଚମ ଦିବସ । ତେବେ ଇତିମଧ୍ୟରେ ସମଗ୍ର ବିଶ୍ୱ ଏହି ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ରହିଛି । ବିଭିନ୍ନ ଦେଶ ପରି ଭାରତ ତା’ର ନାଗରିକଙ୍କୁ ୟୁକ୍ରେନରୁ ନିଜ ଦେଶକୁ ଆଣିବାରେ ଲାଗି ପଡ଼ିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ନୂଆ ଟ୍ରେଣ୍ଡିଂ ଦେଖିବାକୁ ମିଳିଛି । ତାହା ହେଉଛି ପାକିସ୍ତାନ ଅଧିକୃତ କଶ୍ମୀର ଅର୍ଥାତ ‘ପିଓକେ’ । ସୋସିଆଲ ମିଡ଼ିଆରେ ଲୋକମାନେ ପିଓକେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରୁଥିବାର ଦେଖାଯାଉଛି । ଇତିମଧ୍ୟରେ ଭାରତର ସୋସିଆଲ ମିଡ଼ିଆରେ ଅଧା ଲୋକ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପ୍ରଶଂସା କରୁଥିବାଳେ ଆଉ ଅଧା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ପ୍ରଶଂସା କରୁଥିବାର ଦେଖାଯାଉଛି ।

ସୋସିଆଲ ମିଡ଼ିଆରେ କିଛି ୟୁଜର୍ସ ଲେଖିଛନ୍ତି, ରୁଷର ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୋଭିଏତ ସଂଘ ଗଠନ କରିବା । ଯଦି ପୁଟିନ ନିଜର ସାର୍ବଭୌମତ୍ୱକୁ ଫେରାଇ ଆଣିବା ପାଇଁ ଆକ୍ରମଣ କରିପାରୁଛନ୍ତି, ଭାରତ କାହିଁକି ନୁହେଁ? ଏହା ହେଉଛି ସୁବର୍ଣ୍ଣ ସୁଯୋଗ, ପ୍ରଧାନମନ୍ତ୍ରୀ ମୋଦୀ ଏହି ମଉକାରେ ପାକିସ୍ତାନ ଉପରେ ଆକ୍ରମଣ କରି ନିଜର ଅଖଣ୍ଡ ଭାରତ ଗଠନ କରିବା ଉଚିତ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ରୁଷକୁ ସୋଭିଏତ ସଂଘ ଦରକାର, ଚୀନକୁ ୱାନ ଚାଇନା ଓ ଭାରତକୁ ଅଖଣ୍ଡ ଭାରତ । ସେହିପରି ଲୁହା ଗରମ ଅଛି, ହାତୁଡ଼ି ମାରିଦିଅ ବୋଲି ଆଉ ଜଣେ ୟୁଜର୍ସ ଲେଖିଛନ୍ତି । ଏହି ଅବସରରେ ପିଓକେ ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁରୁଣା ମନ୍ତବ୍ୟକୁ ନେଇ କିଛି ୟୁଜର୍ସ ଭିଡିଓ ଶେୟାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଚୀନ ମଧ୍ୟ ତାଇୱାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖାଯାଇଥିଲା । ଭାରତର ଦୁଇ ଭୂଖଣ୍ଡ ମଧ୍ୟରୁ ପିଓକେ ପାକିସ୍ତାନ ଅଧୀନରେ ଥିବାବେଳେ ଅକ୍ସାଇ ଚୀନ ଚୀନ କବଜାରେ ରହିଛି । କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ ପିଓକେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ରୁଷରେ ପୁଟିନଙ୍କ ଏକଛାତ୍ରବାଦୀ ସରକାର ରହିଥିବା ବେଳେ ଭାରତରେ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ମଜବୁତ ସରକାର ରହିଛି । ତେଣୁ ମୋଦୀ ଅଖଣ୍ଡ ଭାରତ ପ୍ରତିଷ୍ଠା କରିପାରିବେ ବୋଲି ଅନେକ ମତ ଦେଇଛନ୍ତି ।

Get real time updates directly on you device, subscribe now.