ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ସାବରଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଥାନାକୁ ଡାକିବାକୁ ଯାଇଥିବା ୩ ଜଣିଆ ପୋଲିସ ଟିମ ଉପରେ ମହିଳାଙ୍କ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଦୁଇ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ୩ ଜଣ ମହିଳାଙ୍କୁ ଅଟକ ରଖିଛି ପୋଲିସ୍ । କରୁଣାକର ମଲ୍ଲିକଙ୍କୁ ଥାନାକୁ ଡାକିବାକୁ ଯାଇଥିବା ବେଳେ ପୋଲିସକୁ ଏଭଳି ଅଭାବନୀୟ ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ପୋଲିସକୁ ଦେଖି କରୁଣାକର ପିନ୍ଧିଥିବା ଲୁଙ୍ଗିକୁ ଖୋଲି ଦେଇଥିଲେ । ଏହାପରେ ତାଙ୍କ ପତ୍ନୀ ପାଖ ପଡୋଶୀରେ ଥିିବା ମହିଳା ମାନଙ୍କୁ ଡାକିଥିଲେ । ଗ୍ରାମବାସୀ ମିଳିତ ଭାବରେ ପୋଲିସକୁ ଆକ୍ରମଣ କରିଥିବା ବେଳେ ମହିଳା କନେଷ୍ଟବଳ ସ୍ମୃତିରେଖା ବଳ ଓ ସ୍ମୃତି ରଞ୍ଜନ ନାୟକ ଗୁରୁତର ଭାବରେ ଆହତ ହୋଇଥିଲେ । ସ୍ମୃତିରେଖାଙ୍କ ଛାତିରେ ଓ ସ୍ମୃତିରଞ୍ଜନଙ୍କ ମୁଣ୍ଡ ଫାଟିଥିବା ବେଳେ ପ୍ରଥମେ ସାବରଙ୍ଗ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ସାବରଙ୍ଗର ଗୋରାମାଟି ଗ୍ରାମର ସରପଞ୍ଚଙ୍କ ଭାଇ କରୁଣାକର ମଲ୍ଲିକ ଓ ଦିବ୍ୟପ୍ରସନ୍ନ ତ୍ରିପାଠୀଙ୍କ ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକ ବଚସା ହୋଇଥିବା ବେଳେ କରୁଣାକର ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ । ଦିବ୍ୟପ୍ରସନ୍ନ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ କରୁଣାକରଙ୍କୁ ଡାକିବାକୁ ଯାଇଥିଲା । ପୋଲିସର ୩ ଜଣିଆ ଟିମକୁ ଦେଖି କରୁଣାକର ନିଜ ଲୁଙ୍ଗି ଖୋଲି ଦେଇଥିଲେ । ପତ୍ନୀ ପଡୋଶୀ ମହିଳାଙ୍କୁ ଡାକିବା ସହିତ ମିଳିତ ଭାବରେ ପୋଲିସକୁ ଆକ୍ରମଣ ମଧ୍ୟ କରାଯାଇଥିଲା । ଆହତ ପୋଲିସ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣ ମହିଳାଙ୍କୁ ଅଟକ ରଖାଯାଇଛି ।