fbpx

ଅଧାପୋତା ମୃତଦେହ ଉଦ୍ଧାର ଘଟଣା: ପରିଚୟ ଜାଣିବାକୁ ପୋଷ୍ଟର ଲଗାଇଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ । ଚିହ୍ନଟ ପାଇଁ ପୋଷ୍ଟରରେ ମୃତକଙ୍କ ମୁହଁ ଓ ଅନ୍ୟ ଜବତ ବସ୍ତୁର ଫଟୋ ରହିଛି । ଏହା ସହ ମୃତ ବ୍ୟକ୍ତିର ପରିଚୟ ସମ୍ପର୍କରେ ଜଣାଇଲେ ପୁରସ୍କାର ମିଳିବ ବୋଲି କୁହାଯାଇଛି । ପୋଷ୍ଟରରେ ମୃତ ବ୍ୟକ୍ତିର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ଏହା ସହ ଉଚ୍ଚତା ୫ରୁ ୮ ଇଞ୍ଚ, ଓଜନ ୪୫ରୁ ୫୦ କେଜି ମଧ୍ୟମ ଧରଣର ବୋଲି କୁହାଯାଇଛି ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଯୁବକ ଜଣଙ୍କ ଭାତ ଖାଇଥିଲେ । ୪/୫ ଦିନ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ ଭିସେରା ରିପୋର୍ଟ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । କିନ୍ତୁ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ । ଭିସେରା ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଏମ୍ସ ଅଧୀକ୍ଷକ କହିଛନ୍ତି । କୁଆଖାଇ ନଦୀପଠାରୁ ଗତ ୨୨ ତାରିଖରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବାଲି ଭିତରେ ପୋତିହୋଇ ରହିଥିବା ବେଳେ ମୃତଦେହକୁ ଉଦ୍ଧାର କରିଥିଲା କମିଶନରେଟ୍‌ ପୋଲିସ । ଯୁବକଙ୍କ ଶରୀରର ଅନେକ ଅଂଶ ପଚି ଯାଇଥିବା ପ୍ରାଥମିକ ତଦନ୍ତ ବେଳେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.