fbpx

ପୁନମ୍ ପାଣ୍ଡେଙ୍କ ବିରୋଧରେ ଦାୟର ହେଲା FIR: ମିଥ୍ୟା ଖବର ପ୍ରଘଟ କରିଥିବା ଅପରାଧରେ ହୋଇପାରେ ୭ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଗତ ୨ ତାରିଖରେ ବଲିଉଡ୍ ମଡେଲ- ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପ୍ରାଣ ହରାଇଥିବା ନେଇ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରାଯାଇଥିଲା । ଏହି ଖବରକୁ ତାଙ୍କର ଫ୍ୟାନ୍ସ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ପୁନମଙ୍କ ଶବ ପୋଲିସ ପାଇନଥିବାରୁ ଏହି ଖବରକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ତା’ ପରଦିନ ଅର୍ଥାତ ୩ ତାରିଖରେ ପୁନମ୍ ଜୀବିତ ଅଛନ୍ତି ବୋଲି ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଥିଲେ । ଏହି ଅବସରରେ ପୁନମ୍ ଦର୍ଶକଙ୍କୁ କ୍ଷମା ମାଗିବା ସହିତ ସର୍ଭାଇକାଲ କ୍ୟାନସରରେ ତାଙ୍କର ମୃତ୍ୟୁ ଘଟିନଥିବା କହିଥିଲେ । ଏଥିସହିତ ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏପରି କରିଥିବା କହିଥିଲେ । ପୁନମଙ୍କ ଜୀବିତ ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡ଼ିଆରେ ବହୁ ୟୁଜର୍ସ ଟ୍ରୋଲ କରିଥିଲେ ।

ତେବେ ମିଥ୍ୟା ଖବର ପ୍ରଘଟ କରିବା ଏବେ ପୁନମଙ୍କୁ ମହଙ୍ଗା ପଡ଼ିପାରେ । ଏନେଇ ପୁନମଙ୍କ ବିରୋଧରେ ମୁମ୍ବାଇର ଅନେ୍ଧରୀ ପୋଲିସ ଷ୍ଟେସନରେ ମାମଲା ଦାୟର କରାଯାଇଛି । ଆଡଭୋକେଟ ଅଲୀ କାଶିଫ ଖାନ ଦେଶମୁଖ ଆଇପିସିର ଧାରା ୪୧୭, ୪୨୦, ୧୨୦ବି, ୩୪ ଅଧିନରେ ଏହି ମାମଲା ଦାୟର କରିବାକୁ ଦାବି କରିଛନ୍ତି । ତେବେ ଓକିଲ ଦେଶମୁଖ ନିଜ ଆଡ଼ୁ ଅଭିଯୋଗ ଦାଖଲ କରିଥିଲେ ହେଁ ପୋଲିସ ବର୍ତ୍ତମାନ ସୁଦ୍ଧା ଉକ୍ତ ଏଫଆଇଆରକୁ ଦର୍ଜ କରିନାହିଁ । ଯଦି ଆଇପିସିର ଏହିସବୁ ଧାରାରେ ମାମଲା ଦାୟର ହୁଏ, ତେବେ ପୁନମଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । ଯଦି କେସ୍ ଦାୟର ପରେ କୋର୍ଟ ଟ୍ରାଏଲ ହୁଏ ତେବେ ପୁନମଙ୍କୁ ଜେଲ୍ ହୋଇପାରେ ।

ଆଇପିସିର ଧାରା ୪୧୭ରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ଲାଗୁ ନେଇ ନିୟମ ରହିଛି । ସେହିପରି ୪୨୦ରେ ୭ ବର୍ଷ, ୧୨୦ବିରେ ୨ ବର୍ଷ ଜେଲଦଣ୍ଡ ନେଇ ନିୟମ ରହିଛି । ଯଦି ଜଣେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଘଟ କରି ଦୋଷୀ ସାବ୍ୟସ୍ତ ହୁଏ, ତେବେ ଆଇଟି ଆକ୍ଟ-୨୦୦୦ର ଧାରା ୬୭ ଅନୁସାରେ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ସହିତ ଜରିମାନା ଦଣ୍ଡ ହୋଇପାରେ ।

Get real time updates directly on you device, subscribe now.