ସାପ ପାଇଁ ୧୬ ହଜାର ଲୋକଙ୍କ ଘରୁ କଟିଗଲା ବିଜୁଳି! ଏକ ଘଣ୍ଟା ଚାରିଆଡ଼ ଅନ୍ଧକାର, କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସହରମାନଙ୍କରେ ଏପରି କିଛି ଘଟଣା ଘଟିଥାଏ ଯେ ତା’ର କାରଣ କେହି ଖୋଜି ପାଇନଥାନ୍ତି । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ସାପ ପାଇଁ ୧୬ ହଜାର ଲୋକଙ୍କ ଘଳୁ ବିଜୁଳି କଟି ଯାଇଥିଲା । ଫଳରେ ସାରା ସହର ଅନ୍ଧକାରମୟ ହୋଇଯାଇଥିଲା । ଏପରି ଏକ ବଡ଼ ଘଟଣାର ମୂଳ କାରଣ ସାପ ବୋଲି କେହି କେବେ ବି ଭାବି ନଥିଲେ ।

ସୂଚନା ମୁତାବକ, ଆମେରିକାର ଟେକ୍ସାସ ସହରରୁ ଆସିଛି ଏପରି ଏକ ଘଟଣା । ଟେକ୍ସାସ ସହରର ୧୬ ହଜାର ଘରୁ ଅଚାନକ ବିଜୁଳି କଟିଯାଇଥିଲା । ଦ୍ୱିପ୍ରହର ୧ଟା ସମୟରେ ବିଜୁଳି ସବଷ୍ଟେସନରେ ଏପରି ଏକ ଘଟଣା ଘଟିଥିଲା, ଫଳରେ ସମସ୍ତଙ୍କର ଘର ଅନ୍ଧକାର ହୋଇଯାଇଥିଲା । ବାସ୍ତବ କଥା ହେଉଛି, ସାପଟି ଇଲେକ୍ଟ୍ରିଫାଇଡ ସର୍କିଟର ସଂସ୍ପର୍ଶରେ ଆସିଥିଲା । ଏହି କାରଣରୁ ଏକ ଘଣ୍ଟା ପାଇଁ ସାରା ଅଞ୍ଚଳରେ ବିଜୁଳି ଗାଏବ୍ ହୋଇଯାଇଥିଲା ।

ସାଧାରଣ ଭାବେ ମେଶିନ ଭିତରେ ଯଦି କୌଣସି ସମୟରେ ଗୁଣ୍ଡିଚିମୂଷା ପ୍ରବେଶ କରେ, ତେବେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଉକ୍ତ ବିଦ୍ୟୁତ ସବଷ୍ଟେସନ ଜଙ୍ଗଲିଆ ଅଞ୍ଚଳରେ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଏ । ଅନେକ ସମୟରେ ବଡ଼ଧରଣର ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଛି । ତେବେ ଏହି ଘଟଣା ପରେ କମ୍ପାନୀ ଏବେ ସବଷ୍ଟେସନ ଚାରିପାଖରେ ଲୋ-ଭୋଲଟେଜ ଇଲେକ୍ଟ୍ରିକ ସ୍ନେକ ଫେସ ଲଗାଇବାକୁ ଯୋଜନା କରୁଛି । କିଛିଦିନ ପୂର୍ବରୁ ଟ୍ରାଫିକ ସିଗନାଲରେ ଏକ ସାପ ପଶିଯିବାରୁ ସେଠାରେ ସିଗନାଲ ମଧ୍ୟ ଖରାପ ହୋଇଥିବା ଖବର ଆସିଥିଲା । ସେହିପରି ଗୋଟିଏ ଗାଡ଼ିର ଡ୍ୟାଶବୋର୍ଡ ଉପରେ ମଧ୍ୟ ଗୋଟିଏ ସାପ ଦେଖିବାକୁ ମିଳିଥିଲା । ଫଳରେ ଡ୍ରାଇଭର ଭୟରେ ଦୌଡ଼ିଥିଲା ।