ଅଡୁଆରେ ପ୍ରଦୀପ ମାଝୀ ! ଅନ୍ୟ ଜାତିରେ ବିବାହ କରିବାରୁ ହେଲେ ବାସନ୍ଦ

ଭୁବନେଶ୍ୱର : ଅଡୁଆରେ ପଡିଗଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ । ତାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । କହିରଖୁଛୁ ଯେ ଏହି ବିଜେଡି ନେତା ଗତ ମାର୍ଚ୍ଚ ୧୨ ତାରିଖ ଦିନ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ବିବାହ ତାଙ୍କୁ ମହଙ୍ଗା ପଡିଛି। ସେ ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ତାଙ୍କୁ ବାସନ୍ଦ କରାଯାଇଛି।

ଖବର ଅନୁଯାୟୀ ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ଭତରା ସମାଜର କେନ୍ଦ୍ରୀୟ କମିଟି ୧୨ ବର୍ଷ ପାଇଁ ବାସନ୍ଦ କରିଛି। ଏହା ସମେତ ବିଜେଡି ନେତାଙ୍କ ପରିବାରକୁ ବାସନ୍ଦ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ପ୍ରଯ୍ୟନ୍ତ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ।

ତେବେ ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ  ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଭାତରା କେନ୍ଦ୍ରୀୟ କମିଟି  । ତେବେ ପ୍ରଦୀପଙ୍କ ଏହି ବିବାହ ଦ୍ୱାରା ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ କମିଟି ସଦସ୍ୟ। ଏଥିପୂର୍ବରୁ ମଧ୍ୟ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କୁ  ଏକ ବ୍ରାହ୍ମଣ ପରିବାରରେ  କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରାଇଥିଲେ। ଏଥିରୁ ପ୍ରଦୀପ ନିଜ ଜାତି ପ୍ରତି ଘୃଣାଭାବ ରଖିଥିବା ଏବଂ ନିଜକୁ ଜଣେ ସର୍ବେସର୍ବା ଭାବୁଥିବା ଅଭିଯୋଗ କରିଛି କେନ୍ଦ୍ରୀୟ କମିଟି ।

ଆଦିବାସୀ ଭତରା ସମାଜ କେନ୍ଦ୍ରୀୟ କମିଟି ତରଫରୁ କୁହାଯାଇଛି ଯେ ପ୍ରଦୀପଙ୍କ ଏହି ମାଙ୍ଗଳିକ କାର୍ଯ୍ୟଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବାରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ୧୨ ବର୍ଷ ଯାଏ ନିଜ ଜାତିରୁ ସାମାଜିକ ବାସନ୍ଦ କରାଯାଇଛି।

 

କହି ରଖୁଛୁ ଯେ ମାଝୀଙ୍କ କନିଆଁ ସୁଶ୍ରୀ ସଙ୍ଗୀତା ସାହୁ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ପାଠପଢ଼ିଛନ୍ତି। ଏହା ସମେତ ସେ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ପ୍ରଦୀପ କୁମାର ମାଝୀଙ୍କ ବିଷୟରେ କହିଲେ ଏହି ନେତା ୨୦୨୪ ଲୋକସଭା ନିର୍ବାଚନରେ ​​ନବରଙ୍ଗପୁର ଆସନରୁ ବିଜେଡି ଟିକେଟରେ ଲଢ଼ି ପରାଜିତ ହୋଇଛନ୍ତି।