fbpx

ଏବେ ପାର୍ଟି ଗଠନ କରିବେ ନାହିଁ ପ୍ରଶାନ୍ତ କିଶୋର, ବିହାରରେ କରିବେ ୩ ହଜାର କିମି ପଦ ଯାତ୍ରା

ପାଟନା: ପ୍ରଶାନ୍ତ କିଶୋରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା। ଏହି ସବୁ କଳ୍ପନା ଜଳ୍ପନା ଉପରେ ଗୁରୁବାର ପୂର୍ଣ୍ଣଛେଦ ପକାଇଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ସେ ଘୋଷଣା କରିଛନ୍ତି ଯେ, ସେ ବର୍ତ୍ତମାନ କୌଣସି ରାଜନୈତିକ ପାର୍ଟି ଗଠନ କରୁ ନାହାନ୍ତି। ବିହାରରେ ରାଜନୈତିକ ପରିବର୍ତ୍ତନ ପାଇଁ ୩ ହଜାର କିଲୋମିଟର ପଦ ଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି ପ୍ରଶାନ୍ତ କିଶୋର। ଏହି ପଦଯାତ୍ରା ଚମ୍ପାଚରଣର ଗାନ୍ଧୀ ଆଶ୍ରମରୁ ଆରମ୍ଭ ହେବ।

ପ୍ରଶାନ୍ତ କିଶୋର ଆଜି ପାଟନାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ୩୦ ବର୍ଷର ଲାଲୁ ଏବଂ ନୀତିଶ ଶାସନ ପରେ ମଧ୍ୟ ଆଜି ବିହାର ଦେଶର ସବୁଠୁ ପଛୁଆ ଏବଂ ଗରିବ ରାଜ୍ୟରେ ରହି ଯାଇଛି। ବିକାଶର ଅନେକ ମାନଦଣ୍ଡରେ ବିହାର ଆଜି ବି ଦେଶର ସବୁଠୁ ନିମ୍ନ ସ୍ଥାନରେ ରହିଛି। ବିହାର ଯଦି ଆଗାମୀ ସମୟରେ ଅଗ୍ରଣୀ ରାଜ୍ୟ ସୂଚୀରେ ଆସିବାକୁ ଚାହୁଁଛି ତେବେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସର ଆବଶ୍ୟକତା ରହିଛି।

ଦୁଇଟି ବଡ ଘୋଷଣା କଲେ ପ୍ରଶାନ୍ତ କିଶୋର

୧ – ପ୍ରଶାନ୍ତ କହିଛନ୍ତି, ଆଗାମୀ ତିନିରୁ ଚାରି ମାସରେ ସେ ସେହି ୧୭ ହଜାର ଲୋକଙ୍କୁ ଭେଟିବେ ଯାହାଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ବିହାର ସହ ଜଡିତ ଅଛନ୍ତି ଏବଂ ଏଠାରେ ପରିବର୍ତ୍ତନ ଚାହୁଁଛନ୍ତି। ଜନ ସୁରାଜ ମଞ୍ଚରେ ସେମାନଙ୍କ ସହ ଆଲୋଚନା କରାଯିବ।

ସେମାନଙ୍କ ମଧ୍ୟରୁ ଯଦି ଦୁଇ, ତିନି କିମ୍ବା ପାଞ୍ଚ ହଜାର ଲୋକ ଏକାଠି ହୁଅନ୍ତି ତେବେ ଏହା ସ୍ଥିର କରାଯିବ ଯେ, ସେମାନଙ୍କୁ କେଉଁ ଧରଣର ରାଜନୈତିକ ପାର୍ଟି କିମ୍ବା ମଞ୍ଚର ଆବଶ୍ୟକତା ରହିଛି। ଏହା ପରେ ଯାଇ ସେ ପାର୍ଟି ଗଠନ କରିବେ କି ନାହିଁ ଘୋଷଣା କରିବେ। ସେହି ସମୟରେ ଯଦି ପାର୍ଟି ଗଠନ ହୁଏ ତାହା ପ୍ରଶାନ୍ତ କିଶୋରଙ୍କ ପାର୍ଟି ହେବ ନାହିଁ। ତାହା ସେହି ସମସ୍ତଙ୍କର ପାର୍ଟି ହେବ ଯିଏ ରାଜନୈତିକ ସଂଗଠନର ନିର୍ମାଣରେ ଭାଗିଦାରୀ ଦେବେ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର।

୨ – ଦ୍ଵିତୀୟ ସବୁଠୁ ବଡ ପ୍ରସଙ୍ଗ ଗଳି କନ୍ଦି ପର‌୍ୟ୍ୟନ୍ତ ପହଞ୍ଚି ଲୋକଙ୍କୁ ଜନ ସୁରାଜର ପରିକଳ୍ପନା ବିଷୟରେ ଜଣାଇବାକୁ ପଡିବ। ସେମାନଙ୍କର ସମସ୍ୟାକୁ ଶୁଣିବାକୁ ପଡିବ। ଏଥିପାଇଁ ଅକ୍ଟୋବର ୨ରୁ ମୁଁ ନିଜେ ପଶ୍ଚିମି ଚମ୍ପାଚରଣର ଗାନ୍ଧୀ ଆଶ୍ରମରୁ ତିନି ହଜାର କିଲୋମିଟର ପଦଯାତ୍ରା କରିବି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Get real time updates directly on you device, subscribe now.