ପ୍ରୟାଗରାଜରୁ ଆସିଲା ଅତ୍ୟନ୍ତ ଦୁଃଖଦ ଖବର, ଗାଧୋଇବାକୁ ଯାଇ ଏକ ସଙ୍ଗେ ଗଙ୍ଗାରେ ବୁଡିଗଲେ ୫ କିଶୋର

ପ୍ରୟାଗରାଜ: ଆଜି ଦ୍ୱିପ୍ରହର ସମୟରେ ପ୍ରୟାଗରାଜଠାରେ ଗଙ୍ଗାରେ ବୁଡି ୫ ଜଣ କିଶୋରଙ୍କର ଅକାଳରେ ବିୟୋଗ ଘଟିଛି । ଗଙ୍ଗାରେ ଗାଧୋଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଅଧିକାରୀଙ୍କୁ ନାବାଳକଙ୍କ ପରିବାର ବର୍ଗକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଃଖଦ ଘଟଣା ଶିବକୁଟୀ ଥାନା ଅନ୍ତର୍ଗତ ମେହୋଦୌରୀ ଗଙ୍ଗା କଚ୍ଛାରରେ ଘଟିଛି । ଏକ ସଙ୍ଗେ ୫ଟି ମୃତଦେହ ଦେଖିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଶିବକୁଟୀ ଥାନା କ୍ଷେତ୍ରରେ ଆସୁଥିବା ଗଙ୍ଗାରେ ସ୍ନାନ କରିବା ଲାଗି ଶୁକ୍ରବାର ଦ୍ୱିପ୍ରହରରେ ୫ ଜଣ କିଶୋର ଶନି(୧୬), ପ୍ରିୟାଂଶୁ (୧୫), ମୁଲାୟମ(୧୬),ଆକାଶ(୧୬), ହିଂମାଶୁ(୧୬) ଯାଇଥିଲେ । ଗାଧୋଇବା ସମୟରେ ଜଣେ ସାଙ୍ଗ ବୁଡି ଯାଉଥିବାର ଦେଖି ଅନ୍ୟମାନେ ତାକୁ ଉଦ୍ଧାର କରିବାକୁ ଯାଇ ସମସ୍ତେ ବୁଡିଯାଇଥିଲେ । ନିକଟରେ ଥିବା ଲୋକମାନେ କିଛି କରିବା ପୂର୍ବରୁ ସେମାନେ ସମସ୍ତେ ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲେ । ଲୋକମାନେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ଖବର ଦେଇଥିଲେ । ତତ୍କାଳ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି କାହାକୁ ବଞ୍ଚାଇ ପାରି ନ ଥିଲେ ।