ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ‘ପ୍ରୟାସ ରଜ ମହୋତ୍ସବ’: ରାଜଧାନୀରେ ମିଳିବ ଗାଁର ମହକ, ପ୍ରତିଯୋଗିତାର ବିଜେତାଙ୍କୁ ମିଳିବ ‘ରଜକୁଇନ୍ ଟ୍ରଫି’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଲୋକମାନେ ଡିଜିଟାଲ ଆଡ଼କୁ ଅଧିକ ଆକୃଷ୍ଟ ହେଉଛନ୍ତି । ତେଣୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ହ୍ୱାଟସଆପ, ଫେସବୁକ, ଟ୍ୱିଟର ଇନଷ୍ଟାଗ୍ରାମରେ ମତୁଆଲା ହେବାରେ ଲାଗିଛନ୍ତି । ଫଳରେ ଆଧୁନିକ ଯୁଗରେ ଦିନକୁ ଦିନ ଆମର ଲୋକ କଳା, ସଂସ୍କୃତି, ସାହିତ୍ୟ, ପର୍ବପର୍ବାଣି ସବୁକିଛି ହଜି ଯାଉଛି । ଆଜିକାଲିର ଯୁବଗୋଷ୍ଠୀମାନେ ଆମର ସଂସ୍କୃତିକୁ ଅଣଦେଖା କରୁଥିବା ଦେଖାଯାଉଛି ।
ତେବେ ଏଭଳି ସ୍ଥିତିରେ ‘ପ୍ରୟାସ’ ଅନୁଷ୍ଠାନ ଦ୍ୱାରା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ପ୍ରୟାସ ରଜ ମହୋତ୍ସବ’ । ପୂର୍ବରୁ ଏହି ଅନୁଷ୍ଠାନ ପକ୍ଷରୁ ଦୀର୍ଘ ଚାରି ବର୍ଷ ଧରି ରଜ ମହୋତ୍ସବ ବେଶ୍ ସଫଳତାର ସହିତ ପାଳିତ ହୋଇଥିଲା । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ଏକାମ୍ର ହାଟର ଆମ୍ପି ଥିଏଟରରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସହରରେ ଆୟୋଜିତ ହେଉଥିଲେ ହେଁ ଏହି ମହୋତ୍ସବ ଲୋକଙ୍କ ମଧ୍ୟରେ ଗ୍ରାମ୍ୟ ପରିବେଶର ଭ୍ରମ ସୃଷ୍ଟି କରିବ ।
ଏହି ମହୋତ୍ସବରେ ରାଜଧାନୀବାସୀ ଗାଁର ମହକକୁ ଅତି ନିକଟକୁ ଅନୁଭବ କରିପାରିବେ । ମଣ୍ଡା, ଆରିଶା, ପୋଡ଼ପିଠା, କାକରା ଭଳି ପିଠାର ମହକରେ ଏକାମ୍ର ହାଟ ମହକି ଉଠିବ । ତା’ ସାଙ୍ଗକୁ ରଜ ଦୋଳିର ମଜା ଏହି ଖୁସିକୁ ଆହୁରି ବଢ଼ାଇଦେବ । ଏହି ଅବସରରେ ପ୍ରତିଯୋଗୀଙ୍କ ଦ୍ୱାରା ନୃତ୍ୟ, ସଂଗୀତ, ଆଙ୍କରିଂ, କମେଡ଼ି, ପୁଚି, ମ୍ୟୁଜିକ ଚେୟାର, ଅନ୍ଧପୁଟୁଳୀ, ଫ୍ୟାସ, ଶୋ’, ମଡେଲିଂ ଆଦି ପରିବେଷଣ କରାଯିବ । ୧୩ରେ ସବଜୁନିୟର, ୧୪ରେ ଜୁନିୟର, ୧୫ରେ ସିନିୟର ଓ ୧୬ରେ ମା’ମାନେ ଭାଗନେବେ ।
ଶେଷରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ଫଳକ ପ୍ରଦାନ କରାଯିବ । ତିନୋଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ‘ରଜକୁଇନ୍ ଟ୍ରଫି’ ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ୯୮୬୧୦୬୧୯୮୮ ହ୍ୱାଟସଆପ ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ନାମ ପଞ୍ଜିକରଣ କରାଇ ପାରିବେ । ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଉତ୍କର୍ଷତା ପାଇଁ ଏହି ମହୋତ୍ସବର ଆୟୋଜନ କରାଯାଉଥିବା ‘ପ୍ରୟାସ’ର ଅଧ୍ୟକ୍ଷ ବନ ମହାନ୍ତି କହିଛନ୍ତି । ଏଥିସହିତ ମହୋତ୍ସବକୁ ସଫଳତାର ସହିତ ସମ୍ପାଦନ କରିବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା କୌସୁଭ ଦାସ, କମଳ ମହାନ୍ତି, ଜୟନ୍ତ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତରା, ସଂଗ୍ରାମ ମହାରଣା, ବୃନ୍ଦାବନ ପଢ଼ିହାରୀ, ଋଷି, ସୋନାଲି, ଜସ୍ମିନ ମହାନ୍ତି, ସୁରେଶ ପତ୍ରୀ ଓ ଉମାକାନ୍ତ ତାଣ୍ଡି ପ୍ରମୁଖ ଅନୁରୋଧ କରିଛନ୍ତି ।