fbpx

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ରଖିଲା ସମ୍ପର୍କ, ଗର୍ଭବତୀ ହେବା ପରେ…

ସୁନ୍ଦରଗଡ: ଆଧୁନିକତାର ଚାକ ଚକ୍ୟରେ ମଣିଷ ଭିତରେ ମରିଯାଉଛି ମାନବିକତା । ଉତ୍ସୃଙ୍ଖଳିତ ଜୀବନ ଶୈଳୀରେ ପ୍ରେମ ହରାଉଛି ଗରିମା । କେତେବେଳେ ପ୍ରେମରେ ବିଶ୍ୱାସ ମୃତ୍ୟୁକୁ ଡାକି ଆଣିଛୁ ତ କେତେବେଳେ ନାରୀ ମୁଣ୍ଡାଉଛି ଅପବାଦ । ଆଉ ପୁଣି କେତେବେଳେ ତାର ବିଶ୍ୱାସ ପାଇଁ ହେଉଛି ନିର୍ଯାତିତା । ପ୍ରେମିକକୁ ଅନ୍ଧ ପରି ବିଶ୍ୱାସ କରି ନାବାଳିକା ପେଟରେ ଧରିଛି ତା ପ୍ରେମର ସନ୍ତକ । କିନ୍ତୁ ନିଷ୍ଠୁର ପ୍ରେମିକ, ନାବାଳିକାର ପ୍ରେମର ମୂଲ୍ୟ ବୁଝିବ କଣ ହାତ ଗୋଡ ବାନ୍ଧି ଜଙ୍ଗଲରେ ପିଙ୍ଗି ଦେଇଛି ଅନ୍ତସତ୍ୱା ନାବାଳିକା ପ୍ରେମିକାକୁ ।

ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ବଣାଇରେ । ବାପା ମା ଛେଉଣ୍ଡ ନାବାଳିକା ବହୁ କଷ୍ଟରେ ପର ଘର ପାଇଟି କରି ଜୀବନ ଧାରଣ କରୁଥିଲେ । ସମୟ କ୍ରମେ ଗାଁର ଜନୈକ ବ୍ୟକ୍ତିଙ୍କ ପ୍ରେମରେ ପଡିଥିଲେ ନାବାଳିକା । ସେହି ବ୍ୟକ୍ତି ନାବାଳିକାଙ୍କ ପରିସ୍ଥିତିର ଭରପୂର ସୁଯୋଗ ନେଲେ । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କଲେ ।

ଯେତେବେଳେ ନାବାଳିକା ଗର୍ଭବତୀ ହେଲେ, ଏହା ଜାଣି ପ୍ରେମିକ ହୋଇଯାଇଥିଲା ହିଂସ୍ର । ପ୍ରେମିକାକୁ ବାଟରୁ ହଟାଇବାକୁ ହୁଏତ କରିଥିଲା ଯୋଜନା । ପ୍ରେମିକାକୁ ବୁଲାଇବାକୁ ନେବ କହି ବଣାଇ ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରକୁ ନେଇଯାଇଥିଲା । ସେଠି ନାବାଳିକା ଗର୍ଭବତୀର ହାତ ଓ ଗୋଡ ବାନ୍ଧି ଜଙ୍ଗଲ ଭିତରେ ପକାଇ ଦେଇ ସେଠାରୁ ପଳାଇ ଯାଇଥିଲା ।

ନାବାଳିକା ଭୋକ ଉପାସରେ ଜଙ୍ଗଲ ଭିତରେ ଭୟଭୀତ ଅବସ୍ଥାରେ ପଡିରହିଥିଲା । ସୌଭାଗ୍ୟକୁ କିଛି ଲୋକ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇ, ନାବାଳିକାକୁ ମୁର୍ମୂଷୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେମାନେ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣା ପରେ ସେହି ବେଇମାନ ପ୍ରେମିକ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.