ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ ଦୁର୍ଘଟଣାକୁ ନେଇ ମୁଁ ଗଭୀର ଭାବରେ ମର୍ମାହତ କହିଲେ ରାଷ୍ଟ୍ରପତି ।

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ଜାଣି ସେ ମର୍ମାହତ ଏବଂ ଦୁଃଖିତ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଅହମ୍ମଦାବାଦରେ ଘଟିଥିବା ଦୁର୍ଘଟଣା ମର୍ମାହତ ଏବଂ ଦୁଃଖିତ କରିଛି। ଏହା ଏକ ହୃଦୟ ବିଦାରକ ଘଟଣା ଯାହା ଶବ୍ଦ ବାହାରେ । ଏହି ଦୁଃଖଦ ମୁହୂର୍ତ୍ତରେ, ଏଥିରେ ପ୍ରଭାବିତ ସମସ୍ତ ଲୋକଙ୍କ ସହିତ ମୋର ସମବେଦନା। ମୁଁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାମ କରୁଥିବା ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛି ।”

ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା- “ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ଭାବରେ ମର୍ମାହତ । ଏହା ଏକ ହୃଦୟ ବିଦାରକ ବିପର୍ଯ୍ୟୟ । ମୋର ଭାବନା ଏବଂ ପ୍ରାର୍ଥନା ପ୍ରଭାବିତ ଲୋକଙ୍କ ସହିତ ଅଛି । ଏହି ଅବର୍ଣ୍ଣନୀୟ ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ।”

ବିମାନରେ କେତେ ଯାତ୍ରୀ ଥିଲେ- ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଯାତ୍ରୀବାହୀ ବିମାନ ଗୁଜୁରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନଟି ମେଘନାନୀ ନଗର ଅଞ୍ଚଳର ଏକ ମାନସିକ ହସ୍ପିଟାଲ ଉପରେ ପଡ଼ିଥିଲା। ଏହି ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁ ସଦସ୍ୟ ଏବଂ ୨୩୦ ଜଣ ଯାତ୍ରୀ ଥିଲେ ।