fbpx

ରାଉରକେଲା ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବ, ଲକ୍ଷ୍ୟ ପୂରଣ ପାଇଁ ଯୁବପୀଢ଼ିଙ୍କୁ କ’ଣ ପରାମର୍ଶ ଦେଲେ ରାଷ୍ଟ୍ରପତି, ଜାଣନ୍ତୁ

ଭୁବନେଶ୍ୱର, ୨୧ା୩ (ଓଡିଶା ଭାସ୍କର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଉରକେଲାରେ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଆଜି ସକାଳୁ ରାଷ୍ଟ୍ରପତି ରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବିଗତ ବର୍ଷରେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ଏନଆଇଟି ବହୁତ କିଛି ଅବଦାନ ଦେଇଛି । ଏବେ ସେହି ଛାତ୍ରଛାତ୍ରୀମାନେ ସମାଜକୁ ଅନେକ କିଛି ଫେରାଇବାକୁ ପଡ଼ିବ । ସଫଳତାକୁ ପାର୍ଥିବ ପ୍ରାପ୍ତିରେ ନ ମାପିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ । ରାଷ୍ଟ୍ରପତି ଗାନ୍ଧିଜୀଙ୍କ ବାଣୀକୁ ସ୍ମରଣ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଦେଖିଥିବା ସବୁଠାରୁ ଗରିବ ଲୋକଟି ପାଇଁ କିଛି କରିବାକୁ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ । ଜୀବନର ଲକ୍ଷ୍ୟପୂରଣ ପାଇଁ ନିଜ ରାସ୍ତା ନିଜେ ପ୍ରସ୍ତୁତ କରିବାକୁ ରାଷ୍ଟ୍ରପତି ଯୁବପୀଢ଼ିଙ୍କୁ ପରାମର୍ଶ ଦେଇଥିଲେ । ଔଦ୍ୟୋଗିକ ସାମାଜିକ ଦାୟିତ୍ୱ ଭଳି ବିଶ୍ୱବିଦ୍ୟାଳୟର ବି ଦାୟିତ୍ୱ ରହିଛି । ଉନ୍ନତ ଭାରତ ଅଭିଯାନରେ ୫ଟି ଗାଁର ଉନ୍ନତି କରିଥିବାରୁ ଏନଆଇଟିକୁ ରାଷ୍ଟ୍ରପତି ସାଧୁବାଦ ଜଣାଇଥିଲେ । ଶିକ୍ଷା ଓ ବୈଷୟିକ କ୍ଷେତ୍ରରେ ମହିଳାମାନେ ମଜବୁତ ହେବା ଦରକାର । କୋଣାର୍କର ସୂର୍ଯ୍ୟ ମନ୍ଦିର କଳା ଓ ବିଜ୍ଞାନର ଉକ୍ରୃଷ୍ଟ ନିଦର୍ଶନ ହେବା ସହ ଦେଶ ସ୍ୱାଧୀନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ନାତକ ହେଉଛି ପ୍ରତ୍ୟେକ ଛାତ୍ର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟନ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ରାଉରକେଲାରେ ରାଷ୍ଟ୍ରପତି ଆରଏସପି ଓ ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଲୋକାର୍ପଣ କରିଥିଲେ । ପରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ର ପାଇଁ ବିଶେଷ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ । ସାଧାରଣ ପ୍ରଶାସନ କ୍ଷେତ୍ର ପାଇଁ ପ୍ରମୋଦ ମିଶ୍ର, ସାହିତ୍ୟ କ୍ଷେତ୍ର ପାଇଁ ସୀତାକାନ୍ତ ମହାପାତ୍ର ଓ ଶିଳ୍ପ ବିକାଶ କ୍ଷେତ୍ର ପାଇଁ କୁମାର ମଙ୍ଗଳମ୍ ବିର୍ଲା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏତଦବ୍ୟତୀତ ୧୧୮ ଜଣଙ୍କୁ ଡକ୍ଟରେଟ୍, ୩ ଜଣଙ୍କୁ ସମ୍ମାନଜନକ ଡି.ଏସସି ଡିଗ୍ରୀ ପ୍ରଦାନ କରାଯିବା ସହ ୮ ଜଣ ପ୍ରାକ୍ତନ ଛାତ୍ରଙ୍କୁ ଏହି ଉତ୍ସବରେ ରାଷ୍ଟ୍ରପତି ସମ୍ମାନିତ କରିଥିଲେ ।

Get real time updates directly on you device, subscribe now.