fbpx

ମେ’ ୧ରୁ ମହଙ୍ଗା ହେବ ଛେନା ପନିର: ଦର ବୃଦ୍ଧି କରିବାକୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ନିଷ୍ପତି

କଟକ: ଆସନ୍ତା ମାସରୁ ମହଙ୍ଗା ହେବାକୁ ଯାଉଛି ଦୁଗ୍ଧଜାତ ଦ୍ରବ୍ୟର ଦର। ମେ’ ୧ରୁ ଛେନା ପନିର ସମେତ ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ାଇବାକୁ ନିଷ୍ପତି ନେଇଛି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ। ବଜାରରେ ବଢୁଥିବା ଦରଦାମ୍ ମଧ୍ୟରେ ନିକଟରେ ଓମ୍ଫେଡ ମଧ୍ୟ କ୍ଷୀର ଦାମ୍ ବଢ଼ାଇଥିଲା। କ୍ଷୀର ଦାମ୍ ବଢିବା ପରେ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ାଇବାକୁ ନିଷ୍ପତି ହୋଇଥିବା କୁହାଯାଇଛି।

ସଂଘର ନିଷ୍ପତ୍ତି ଅନୁଯାୟୀ ଛେନା କେଜି ୨୦, ପନିର କେଜି ୩୦ ଟଙ୍କା ବଢିବ। ସେହିପରି ଖୁଆ କେଜି ୬୦ ଟଙ୍କା ବଢ଼ାଇବାକୁ ନିଷ୍ପତି ହୋଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, କ୍ଷୀର ଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟ ଦର ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।

ଗତମାସରେ ରାଜ୍ୟ ସରକାର ଓମ୍‌ଫେଡ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଥିଲେ। ୫୦୦ ମିଲିଲିଟର ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଟୋନ୍‌ଡ ପ୍ୟାକେଟ ପିଛା ୨୧ଟଙ୍କା ଥିବା ବେଳେ ତାହା ୨୩ ଟଙ୍କାକୁ ବୃଦ୍ଧି ହୋଇଥିଲା। ସେହିପରି ପ୍ରିମିୟମ ୨୪ରୁ ୨୬ ଟଙ୍କା, ଗୋଲ୍‌ଡ ମିଲ୍କ ପ୍ୟାକେଟ ୨୪ରୁ ୨୬ ଟଙ୍କା ଏବଂ ଚାଏ ସ୍ପେଶାଲ ୫୦୦ ଏମ୍‌ଏଲ ୨୩ରୁ ୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୋଖାଦ୍ୟ, ଔଷଧ, ଜାଳେଣି ଇତ୍ୟାଦି ଦର ବୃଦ୍ଧି ହୋଇଥିବାରୁ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କ୍ଷୀର ଦର ବୃଦ୍ଧି କରାଯାଇଥିବା ଓମ୍‌ଫେଡ ପକ୍ଷରୁ କୁହାଯାଇଥିଲା।

Get real time updates directly on you device, subscribe now.