fbpx

ବିଶ୍ୱସ୍ତରୀୟ ହେବ କଟକ-ପୁରୀ ରେଳଷ୍ଟେସନ: ଆସନ୍ତାକାଲି ୮ ହଜାର କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାରେ ୮ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ କେତେକ ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଭର୍ଚୁଆଲ୍‍ ମାଧ୍ୟମରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ର ଶୁଭାରମ୍ଭ କରିବେ। ଏହି ଅତ୍ୟାଧୁନିକ ତଥା ଦ୍ରୁତଗାମୀ ଟ୍ରେନ୍‍ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ କରିବ ।

ଟ୍ରେନ୍‍ଟି ପୁରୀଠାରୁ ବାହାରି ଖୋର୍ଦ୍ଧାରୋଡ୍‍, ଭୁବନେଶ୍ୱର, କଟକ, ଯାଜପୁରରୋଡ, ଭଦ୍ରକ, ବାଲେଶ୍ୱର ଷ୍ଟେସନ୍‍ ଦେଇ ହାୱଡାରେ ପହଞ୍ଚିବ। ଏହି ଅବସରରେ ପୁରୀ ଷ୍ଟେସନ୍‍ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗୁରୁବାର ବ୍ୟତୀତ ସପ୍ତାହକୁ ୬ ଦିନ ଏହି ଟ୍ରେନ୍‍ ଚଳାଚଳ କରିବ ।

ଏହି ଟ୍ରେନ୍‍ରେ ଥିବା ‘ଚେୟାର କାର୍‍’ ଟିକେଟ୍‍ର ମୂଲ୍ୟ ୧ ହଜାର ୫୫୯ ଟଙ୍କା ଏବଂ ଏକ୍‍ଜୁକ୍ୟୁଟିଭ୍‍ ଚେୟାର ଟିକେଟ୍‍ର ମୂଲ୍ୟ ୨ ହଜାର ୯୦୦ ଟଙ୍କା ରଖାଯାଇଛି । ୨୨୮୯୫ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‍ ସକାଳ ୬ଟା ୧୦ରେ ହାୱଡାରୁ ବାହାରି ସେହିଦିନ ଅପରାହ୍ଣ ୧୨ଟା ୩୫ରେ ପୁରୀରେ ପହଞ୍ôଚବ । ପ୍ରତ୍ୟାବର୍ତ୍ତନ ସମୟରେ ୨୨୮୯୬ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଅପରାହ୍ଣ ଗୋଟାଏ ୫୦ରେ ପୁରୀରୁ ଯାତ୍ରା ଆରମ୍ଭ କରି ସେହିଦିନ ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିବ। ଏଥିରେ ୧୬ଟି କୋଚ୍‍ ରହିଛି ।

୧୦୦% ବିଦ୍ୟୁତିକରଣ ହେଲା ଓଡିଶାରେ ରେଳ ନେଟୱର୍କ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ପୁରୀ ଓ କଟକ ରେଳଷ୍ଟେସନ୍‍ର ପୁନଃ ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ଯାତ୍ରୀମାନେ ବିଶ୍ୱସ୍ତରୀୟ ଆଧୁନିକ ସୁବିଧା ପାଇପାରିବେ । ରାଜ୍ୟର ବିଭିନ୍ନ ରେଳ ନେଟ୍‍ୱାର୍କକୁ ଶତ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହି ଉପଲକ୍ଷେ ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦେହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ନୂଆ ବ୍ରଡ୍‍ଗେଜ୍‍ ରେଳପଥ, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମ୍‍ଗା ତୃତୀୟ ଲାଇନ୍‍ ଏବଂ
ବିଛୁପାଲି-ଝର୍‍ତର୍ଭା ମଧ୍ୟରେ ନୂଆ ବ୍ରଡ୍‍ଗେଜ୍‍ ରେଳପଥକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଦ୍ରୁତ ଶିଳ୍ପ ବିକାଶ ଯୋଗୁଁ ହେଉଥିବା ଚାହିଦାକୁ ପୂରଣ କରିବା ଦିଗରେ ଏହିସବୁ ରେଳପଥର ଉନ୍ନତୀକରଣ କାର୍ଯ୍ୟ ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.