ଆଫ୍ରିକାରେ ନୁହେଁ, ଭାରତରେ ହୋଇଥିଲା ଆଦିମାନବର ବିକାଶ, ସାମ୍ନାକୁ ଆସିଲା ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ମାନବ ସଭ୍ୟତାର ଉତ୍ପତ୍ତିସ୍ଥଳ କେନ୍ଦ୍ର ଆଫ୍ରିକା ବୋଲି କୁହାଯାଉଛି । ମାତ୍ର ଆଦି ମାନବର ବିକାଶ ଭାରତରେ ହିଁ ହୋଇଛି । ନିକଟରେ ଆର୍କିଓ ଜିନୋମିକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଦି ମାନବର ସୃଷ୍ଟି ଆଫ୍ରିକାରେ ହୋଇପାରେ, ମାତ୍ର ତା’ର ବିକାଶ ଭାରତରେ ହୋଇଛି । ୨୫ ହଜାର ବର୍ଷ ପୂର୍ବେ ବିଶ୍ୱର ଅଧା ଜନସଂଖ୍ୟା ଭାରତରେ ରହୁଥିବା ରିପୋର୍ଟରେ କୁହାଯାଇଛି ।

ମାନବ ସଭ୍ୟତାର ଇତିହାସ ବିଷୟରେ ସଠିକ୍ ତଥ୍ୟ ଜାଣିବା ପାଇଁ ଆର୍କିଓ ଜିନୋମିକ ପକ୍ଷରୁ ରିସର୍ଚ୍ଚ କରାଯାଇଥିଲା । ଏହି ରିସର୍ଚ୍ଚରେ ୧.୬ ଲକ୍ଷ ଡିଏନଏ ନମୂନାକୁ ସାମିଲ କରାଯାଇଥିଲା । ହରପ୍ପା ମହେଞ୍ଜୋଦାରୋ ସଭ୍ୟତାଠାରୁ ୨୦ ହଜାର ବର୍ଷ ପୂର୍ବରୁ ଭାରତରେ ସଭ୍ୟ ଲୋକ ରହୁଥିଲେ । ଯଦି ୨୫ ହଜାର ବର୍ଷ ପୂର୍ବର କଥା କହିବା ତେବେ ବଙ୍ଗୋପ ସାଗର, ଆରବ ସାଗର ଓ ହିମାଚଳ ମଧ୍ୟରେ ବିଶ୍ୱର ଅଧା ଜନସଂଖ୍ୟା ବିଶିଷ୍ଟ ଲୋକ ବାସ କରୁଥିଲେ । ପରବର୍ତ୍ତୀ ସମୟରେ ଏହି ଜନସଂଖ୍ୟା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା ।

ସାରା ବିଶ୍ୱରୁ ମିଳିଥିବା ୧ ଲକ୍ଷ ୬୦ ହଜାର ଡିଏନଏର ଜିନୋମ ସ୍କେଲିଙ୍ଗ ବେସଡ ଷ୍ଟଡି ମୁତାବକ, ଆଫ୍ରିକାରେ ମାନବ ଜାତିର ସୃଷ୍ଟି ହୋଇଥିଲା । ମାତ୍ର ଭାରତରେ ମାନବ ଜାତିର ବିକାଶ ଲାଭ କରିଥିଲା । ଏଥିସହିତ ସେମାନେ ଭାରତରେ କ୍ଷେତ କାର୍ଯ୍ୟ କରୁଥିବା ମଧ୍ୟ ଷ୍ଟଡିରୁ ତଥ୍ୟ ମିଳିଛି । ବିଶେଷ କରି ସିନ୍ଧୁ ଓ ସରସ୍ୱତୀ ନଦୀ କୂଳରେ ସେ ସମୟରେ କ୍ଷେତିବାଡ଼ି କରାଯାଉଥିବା ଜଣାପଡ଼ିଛି । ଆଦିମାନବ ମାଇକ୍ରୋଲିଥିକ ଟେକନିକର ସନ୍ଧାନ କରିଥିଲେ । ଏଥିସହିତ ହତିଆର ନିର୍ମାଣ କୌଶଳ ଶିଖିବା ପରେ ଆଦିମାନବଙ୍କ ପାଇଁ ଭୋଜନ ସନ୍ଧାନ କରିବା ସହଜ ହୋଇପାରିଥିଲା ।

ସହଜ ଭାଷାରେ କହିବାକୁ ଗଲେ ସମସ୍ତ ଜିନର ଗ୍ରୁପକୁ ଜିନୋମ କୁହାଯାଇଥାଏ । ଏହା ଗୋଟିଏ ପୀଢ଼ିର ଗୁଣକୁ ଅନ୍ୟ ପୀଢ଼ିକୁ ପଠାଇଥାଏ । ଏହି ଜିନୋମର ଅଧ୍ୟୟନକୁ ଜିନୋମିକ୍ସ କୁହାଯାଇଥାଏ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଏନଏ ଆଧାରିତ ଅଟେ । ଅର୍ଥାତ ଜିନୋମିକ ପାଇଁ ସର୍ବପ୍ରଥମେ ଡିଏନଏକୁ ନିଆଯାଇଥାଏ । ଜୈବିକ ରିସର୍ଚ୍ଚ କ୍ଷେତ୍ରରେ ଜିନୋମିକ ଏବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଗଣିତ ହୋଇଛି ।