ଲଣ୍ଡନ: ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ତାଙ୍କ ପୂର୍ବତନ ପତ୍ନୀ ରାଜକୁମାରୀ ହୟରଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ବିଟ୍ରେନର ଏକ ହାଇକୋର୍ଟ ମଙ୍ଗଳବାଦ ଦିନ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବିଟ୍ରେନର ଇତିହାସରେ ସବୁଠାରୁ ମହଙ୍ଗା ଛାଡ଼ପତ୍ର ଭାବେ ରେକର୍ଡ ହୋଇଛି । ପୂର୍ବତନ ପତ୍ନୀ ହୟା ବିନ୍ତ ଅଲ ହୁସେନ ଏବଂ ୨ ପିଲାଙ୍କ ଚଳିବା ପାଇଁ ରଶିଦଙ୍କୁ ୫୫୦୦ କୋଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାଶି ବଳରେ ସେ ଆଜୀବନ ସୁରକ୍ଷିତ ଭାବେ ଚଳିପାରିବେ ବୋଲି କୋର୍ଟ କହିଛନ୍ତି ।
ଉଚ୍ଚ ନ୍ୟାୟାଳୟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କୁ ନିଜ ୬ଷ୍ଠ ପତ୍ନୀ ରାଜକୁମାରୀ ହୟାଙ୍କୁ ୨୫.୧୫ କୋଟି ପାଉଣ୍ଡ ଦେବାକୁ ପଡିବ । ଏହା ସହିତ ନିଜ ସନ୍ତାନ ୧୪ ବର୍ଷୀୟ ଅଲ ଜଲିଲ ଓ ୯ ବର୍ଷୀୟ ଜାୟଦଙ୍କୁ ୨୯ କୋଟି ପାଉଣ୍ଡର ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ଦେବାକୁ ପଡ଼ିବ ।
ତେବେ ୧୯୭୪ ମେ ୪ରେ ଜୋର୍ଡ଼ାନରେ ଜନ୍ମ ହୋଇଥିବା ରାଜକୁମାରୀ ହୟା ବିନ୍ତ ଅଲ ହୁସେନ ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ୬ଷ୍ଠ ପତ୍ନୀ । ୨୦୦୪ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ୨୦୧୯ରେ ହୟା ତାଙ୍କ ପିଲାମାନଙ୍କ ସହ ଲୁଚି କରି ଜର୍ମାନୀ ପଳାଇଥିଲେ ଏବଂ ସେଠାରେ ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଛାଡପତ୍ର ପାଇଁ ଆବେଦନ କରିଥିଲେ ।
ହୟା ଜଣେ ପୂର୍ବତନ ଅଲିମ୍ପିଆନ,ସମାଜସେବୀ, ଆଇଓସିର ପୂର୍ବତନ ସଦସ୍ୟ, ଅଶ୍ୱଚାଳନା ଫେଡେରେଶନର ସଭାପତି ଏବଂ ଜୋର୍ଡାନର ପ୍ରଥମ ମହିଳା ଭାବେ ଭାରୀ ଯାନ ଚଳାଇବା ଲାଇସେନ୍ସ ହାସଲ କରିଥିଲେ । ତାଙ୍କୁ ଘରେ ଘେରାବନ୍ଦୀ କରି ରଖାଯାଉଥିବା ସେ ଅଭିଯୋଗ କରିଥିଲେ ।