fbpx

ଆଜି ଓମିକ୍ରନ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମୁଖ୍ୟ ଶାସନ ସଚିବ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ପୂର୍ବରୁ ଡେଲଟା ଭାରିଆଣ୍ଟ ପାଇଁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ହସ୍ପିଟାଲଗୁଡ଼ିକ ରୋଗୀରେ ଫୁଲ୍ ହୋଇଯାଇଥିଲା । ତେବେ ଡେଲଟା ଅପେକ୍ଷା ଓମିକ୍ରନ ଅଧିକ ସଂକ୍ରମଣ ବଢ଼ାଇବା ସହ ଆସନ୍ତା ଫେବୃଆରୀ ମାସରେ ଏଥିପାଇଁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ରାଜ୍ୟରେ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଆଶଙ୍କା ବଢ଼ାଇ ଦେଇଛି । ତେଣୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ଓମିକ୍ରନ ସଚେତନତା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଚିହ୍ନଟ ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ଆସିଥିଲେ । ସଂକ୍ରମିତ ଦୁଇଜଣ ବ୍ୟକ୍ତି କଟକ ଓ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଥିଲା । ୨ ଜଣଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ନେଇ ଇନଷ୍ଟଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ) ପକ୍ଷରୁ ସୂଚନା ଦିଆଯାଇଥିଲା । ଉଭୟଙ୍କର ମଧ୍ୟରୁ ଜଣଙ୍କ ଠାରେ କିଛି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଏଥିସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୧ ଜଣ କଣ୍ଟାକ୍ଟ ଚିହ୍ନଟ କରି ଟେଷ୍ଟି କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ । ଗତକାଲି ଭୁବନେଶ୍ୱରର ବମିଖୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି କଟକଣା ଉପରେ ସେପରି କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।

Get real time updates directly on you device, subscribe now.