ଜେଲରେ ଭୟଙ୍କର ଅଗ୍ନିକାଣ୍ଡ: ୫୧ କଏଦୀ ଜୀବନ୍ତ ଦଗ୍ଧ, ୨୪ ଗୁରୁତର

ବୋଗୋଟା : ପଶ୍ଚିମ କଲମ୍ବିଆର ତୋଲୁଆ ସହରର ଏକ ଜେଲରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ମଙ୍ଗଳବାର ହୋଇଥିବା ଏହି ଅଗ୍ନିକାଣ୍ଡରେ ୫୧ଜଣ କଏଦୀ ଜୀବନ୍ତ ଦଗ୍ଧ ହେବା ସହ ୨୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗରୁତରଙ୍କ ମଧ୍ୟରେ ଜେଲର ସୁରକ୍ଷା କର୍ମଚାରୀ ଥିବା ପ୍ରକାଶ ପାଇଛି ।

କଲମ୍ବିଆର ନ୍ୟାୟମନ୍ତ୍ରୀ ୱିଲସନ ରୁଇସ ସୂଚନା ଦେଇ କହିଛନ୍ତି କଏଦୀଙ୍କମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ବିବାଦ ମଧ୍ୟରେ ଜଣେ କଏଦୀ ଗଦିରେ ନିଆଁ ଲଗାଇଥିଲା ଯାହା ଫଳରେ ଅଗ୍ନି ଜେଲ ସାରା ବ୍ୟାପିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରାଯାଇ ପାରିଲା ନାହିଁ । ଅଗ୍ନିଶମ ବିଭାଗ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଜେଲ କର୍ମଚାରୀ । ପରେ ଅଗ୍ନିଶମ ବିଭାଗ ବହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ରୁଇସଙ୍କ ଅନୁସାରେ ଏହି ଜେଲରେ ଥିବା କଏଦୀମାନେ ଛୋଟ ଅପରାଧରେ ଏଠାକୁ ଆସିଥାନ୍ତି । ଯେଉଁ ଜେଲରେ ଅଗ୍ନିକାଣ୍ଡ ଘଟିଥିଲା ତାହା କ୍ଷମତାରୁ ୧୭ ପ୍ରତିଶତ ଅଧିକ ଥିଲା । ଯାହ ଦ୍ୱାରା ଏହା ଦେଶରେ ସବୁଠାରୁ କମ କଏଦୀ ଥିବା ଜେଲରେ ପରିଣତ ହୋଇଛି । କଏଦୀମାନଙ୍କ ମଧ୍ୟରେ ପୂର୍ବରୁ ଏପରି ଗଣ୍ଡଗୋଳ ହୋଇ ସାରିଥିବା ରୁଇସ ପ୍ରକାଶ କରିଛନ୍ତି । ସେହିପରି କଲମ୍ବିଆ ଏବଂ ପଡ଼ୋଶୀ ଦେଶର ଜେଲରେ ଏହି ପରି ଅନେକ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବାର ଦେଖାଯାଏ ।