ବିଜେଡିର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିର୍ବାଚନ ପାଇଁ ପାଖାପାଖି ୯ ମାସ ସମୟ ବାକି ରହିଥିବା ବେଳେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ନିକଟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ସଂଗଠରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଦେଖାଯାଇଛି ।

ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ି ନାହାନ୍ତି । ତେବେ ଏହା ମଧ୍ୟରେ ବିଜେଡି ତା’ର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ ଘୋଷଣା କରିଛି । କିଛିଦିନ ଧରି ଏହି ପଦ ଖାଲି ପଡ଼ିଥିଲା । ପ୍ରିୟବ୍ରତ ମାଝିଙ୍କୁ ଦଳ ନୂଆ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତି ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରିୟବ୍ରତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିବା ନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

ଆସନ୍ତା ୧୩ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓଡ଼ିଶା ଗସ୍ତରେ ଆସୁଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ଏହାପରେ ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଯାଞ୍ଚ କରାଯିବ । ରାଜ୍ୟରେ ନିର୍ବାଚନ ପାଇଁ ପୂର୍ବରୁ ଆବଶ୍ୟକ ଇଭିଏମ୍ ପହଞ୍ଚି ସାରିଥିବା ବେଳେ ଭୋଟର ତାଲିକା ସଂଶୋଧନ ନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ ସରକାର ବିଧାନସଭା ଅଧିବେସନ ଡାକିବା ନେଇ ଚର୍ଚ୍ଚା ହେଉଛି । ତେଣୁ ବିଧାନସଭା ଭଙ୍ଗ କରିବାକୁ ଏହି ଅଧିବେସନ ଡକାଯାଉଥିବା ବିଜେପି ଓ କଂଗ୍ରେସ ନେତାମାନେ ଅନୁମାନ କରୁଛନ୍ତି ।