fbpx

ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହେଲେ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହିସବୁ ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ । ବିଧାନସଭା ନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ କଂଗ୍ରେସ କର୍ଣ୍ଣାଟକ ପରି ପୁଣି ଏକ ବଡ଼ ବିଜୟ ପାଇଁ ଅପେକ୍ଷା କରିଛି ।

ତେବେ ଏଥର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ହେଭି ଟକ୍କର ଦେଖିବାକୁ ମିଳିବ । ଗତଥର ବିଜେପି ରାଜ୍ୟରେ ପରାଜୟ ବରଣ କରିଥିବା ବେଳେ କଂଗ୍ରେସ ବିଜୟ ହାସଲ କରିଥିଲା । ମାତ୍ର ପରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଥିଲା । ଏହାପରେ ପୁନର୍ବାର ରାଜ୍ୟରେ ବିଜେପି କ୍ଷମତାକୁ ଫେରିଥିଲା ଓ ଶିବରାଜ ସିଂହ ଚୌହାନ ପୁନର୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଗୋଟିଏ ପଟେ ଗତ ନିର୍ବାଚନର ଫଳାଫଳକୁ ପୁଣି ଥରେ ଦୋହରାଇବାକୁ କଂଗ୍ରେସ ପ୍ରୟାସ କରୁଥିବା ବେଳେ ବିଜେପି ନିଜର ଭୁଲରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବାକୁ ପ୍ରୟାସ କରୁଛି ।

ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କେଇ ମାସ ବାକିଥିବାବେଳେ ଏହା ମଧ୍ୟରେ ଦେଖିବାକୁ ମିଳିଛି ନେତାଙ୍କର ଦଳ ବଦଳ ପ୍ରକ୍ରିୟା । ଗତ ମାସ ୩୧ରେ ବିଜେପି ଛାଡ଼ିଥିବା ଶିବପୁରୀ ଜିଲ୍ଲାର କୋଲାରସ ଆସନର ବିଧାୟକ ବିରେନ୍ଦ୍ର ରଘୁବଂଶୀ କଂଗ୍ରେସରେ ସାମିଲ ହୋଇଛନ୍ତି । ବିରେନ୍ଦ୍ରଙ୍କ ସହିତ ୮ଟି ଜିଲ୍ଲାର ୧୦ ଜଣ ନେତା ମଧ୍ୟ ହାତ ଧରିଥିବା ଜଣାପଡ଼ିଛି । ଭ୍ରଷ୍ଟାଚାର କାରଣରୁ ବିରେନ୍ଦ୍ର ଦଳ ଛାଡ଼ିଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । ରାଜ୍ୟ କଂଗ୍ରେସ ସଭାପତି କମଲନାଥ, ବରିଷ୍ଠ ନେତା ରଣଦୀପ ସୂର୍ଯେୱାଲାଙ୍କ ସମେତ ବହୁ ଦଳୀୟ ନେତାଙ୍କ ଉପସ୍ଥିତିରେ ବିରେନ୍ଦ୍ର କଗ୍ରେସରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.